ହାଇଦର୍ ଜାଲରେ ୩ ଯୁବତୀ!
ହାଇଦର୍ର ସହଯୋଗୀ କହାଯାଉଥିବା ୩ ତରୁଣୀ ହେଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା (୧୯), କଟକ ଜିଲ୍ଲା ମାହାଙ୍ଗାର ବନିତା ରାଉତ (୨୬) ଓ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ସୋନାଲି ସ୍ବାଇଁ (୨୨)। ଏମାନଙ୍କ ମଧ୍ୟରୁ କେବଳ ଅର୍ଚ୍ଚନାକୁ ପୁଲିସ ଗିରଫ କରିଛି।

କଟକ: କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧୀନ ଥାଇ ଫେରାର୍ ହୋଇଥିବା ଓ ହାଇଦ୍ରାବାଦରୁ ଧରା ପଡ଼ିଥିବା ଗ୍ୟାଙ୍ଗ୍ଷ୍ଟର ହାଇଦରର ତରୁଣୀ ପ୍ରେମ ସାମନାକୁ ଆସିଛି। ସମ୍ବଲପୁର ଜେଲ୍ରେ ଥିବା ସମୟରୁ ହାଇଦର ୩ ଜଣ ତରୁଣୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଉପରେ କଡ଼ା ନଜର ରଖିଛି।
ହାଇଦର୍ର ସହଯୋଗୀ କହାଯାଉଥିବା ୩ ତରୁଣୀ ହେଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା (୧୯), କଟକ ଜିଲ୍ଲା ମାହାଙ୍ଗାର ବନିତା ରାଉତ (୨୬) ଓ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ସୋନାଲି ସ୍ବାଇଁ (୨୨)। ଏମାନଙ୍କ ମଧ୍ୟରୁ କେବଳ ଅର୍ଚ୍ଚନାକୁ ପୁଲିସ ଗିରଫ କରିଛି।
ଅର୍ଚ୍ଚନା ଏବେ ଭୋଗରାଇରେ ଯୁକ୍ତଦୁଇ ପଢ଼ୁଛି। ଗୋଟିଏ ଥର ପରୀକ୍ଷାରେ ଅକୃତକାର୍ଯ୍ୟ ହେବ ପରେ ସେ ପୁନର୍ବାର ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି। ଆଲ୍ବମ୍ରେ ଅଭିନୟ କରୁଥିବା ଅର୍ଚ୍ଚନା ଭୁବନେଶ୍ବରରେ ରହିବାକୁ ଆଗ୍ରହୀ ଥିଲା। ଭୁବନେଶ୍ବରରେ ଚାକିରି କରାଇଦେବ କହି ହାଇଦର୍ ଅର୍ଚ୍ଚନାକୁ ଗ୍ୟାଙ୍ଗ୍ରେ ସାମିଲ କରିଥିଲା। ୨୦୨୦ରେ ଲକି ନାମକ ଆଉ ଜଣେ ଯୁବତୀ ସହାୟତାରେ ଚାକିରି ଦେବ କହି ଅର୍ଚ୍ଚନାକୁ ଭୁବନେଶ୍ବର ଆଣିଥିଲା ହାଇଦର୍।
ହାଇଦର ଅଳ୍ପ ବୟସର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବ୍ୟବସାୟୀଙ୍କୁ ବଟି ମାଗୁଥିବା ପୁଲିସ ସନ୍ଦେହ କରିଛି। ବନିତାଙ୍କ ମୋବାଇଲ୍ରୁ କେନ୍ଦ୍ରାପଡ଼ାର ବ୍ୟବସାୟୀ ଶରତ ନାୟକଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିଲା ହାଇଦର୍। ହାଇଦର୍ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅର୍ଚ୍ଚନା ଓ ବନିତା ପାଖେ ପାଖେ ରହୁଥିଲେ।
ହାଇଦର୍ ନିଜେ ଫୋନ୍ ବ୍ୟବହାର କରୁନଥିବା ବେଳେ ବଟି ଆଦାୟ କରିବା, ଧମକ ଦେବା ଓ ସହଯୋଗୀମାନଙ୍କ ସହ ସମ୍ପର୍କରେ ରହିବା ପାଇଁ ଯୁବତୀମାନଙ୍କୁ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ହାଇଦର୍କୁ ଫେରାର୍ କରାଇବା ପଛରେ ଅର୍ଚ୍ଚନାର ହାତ ଥିବା ପ୍ରମାଣ ପାଇବା ପରେ ପୁଲିସ ତାକୁ ଗିରଫ କରିଛି। ଏବେ ଅନ୍ୟ ଦୁଇ ଯୁବତୀ ପୁଲିସ୍ ନଜରରେ ଅଛନ୍ତି।