ଲକ୍ଡାଉନ୍ ଘୋଷଣା ପରେ ବସ୍ଷ୍ଟାଣ୍ଡ, ଷ୍ଟେସନରେ ଅସମ୍ଭାଳ ଭିଡ଼
ଦିଲ୍ଲୀର ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି
![](https://www.odishalink.com/wp-content/uploads/2021/04/migrant.jpg)
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷକରି ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ ୬ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି।
ଘୋଷଣା ହେବାର କିଛି ସପୟ ପରେ ଦିଲ୍ଲୀର ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଡାଉନ୍ କଥା ଶୁଣି ଭୟରେ ଘରକୁ ଫେରିବା ପାଇଁ ପ୍ରୟାସ ଚଳାଇଛନ୍ତି ଶହ ଶହ ପ୍ରବାସୀ ।ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଗତକାଲି ରାତି ତମାମ ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲରେ ପ୍ରବଳ ଭିଡ଼ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ। ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା। କେହି କେହି ବସ ଉପରେ ବସି ଯିବା ଘଟଣା ବି ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଲକଡାଉନ୍ ପୂର୍ବରୁ ହିଁ ଲୋକେ ଚାଲି ଚାଲି ଘରକୁ ଫେରୁଥିବା ଘଟଣା ବି ଦେଖିବାକୁ ମିଳିଛି ।
ଆଉ କିଛି ଲୋକ ରେଳ ଷ୍ଟେସନରେ ମଧ୍ୟ ଭିଡ଼ ଜମାଇଥିଲେ। ଏବଂ ନିଜ ନିଜ ଭିଟାମାଟିକୁ ଫେରିବା ପାଇଁ କରିଥିଲେ ପ୍ରୟାସ। ବିଶେଷକରି ଆନନ୍ଦ ବିହାର, କୌସାମ୍ବି ବସଷ୍ଟାଣ୍ଡରୁ ଉତ୍ତର ପ୍ରଦେଶ ଓ ବିହାର ସହ ଦୂରଦୂରାନ୍ତରକୁ ପ୍ରବାସୀମାନେ ପଳାୟନ କରୁଛନ୍ତି । ଯାହାର ଚିତ୍ର ସାମ୍ନାକୁ ଆସିଛି।
ଅପରପକ୍ଷେ, ଭିଡକୁ ଦେଖି ନୂଆଦିଲ୍ଲୀ ଓ ଚାନ୍ଦନୀଚୌକ ଷ୍ଟେସନରେ ପ୍ରେବଶ ଉପରେ କଟକଣା ଜାରି କରାଯାଇଛି। ପ୍ରବେଶ ପଥକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବା ସହ ପ୍ରସ୍ଥାନକୁ ଅନୁମତି ଦେଇଛି ପ୍ରଶାସନ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଛାଡି ନଯିବାକୁ ପ୍ରବାସୀଙ୍କୁ ଅପିଲ କରିଛନ୍ତି।