ବଢ଼ିଲା ଅଟୋ ଭଡ଼ା, ସର୍ବନିମ୍ନ ୨୦ଟଙ୍କା

ଭୁବନେଶ୍ୱର: ବଢ଼ିଲା ଅଟୋ ଭଡ଼ା। ରାଜଧାନୀ ଭୁବନେଶ୍ୱରରେ ଅଟୋରିକ୍ସା ମହାସଂଘ ଅଟୋ ଭଡ଼ା ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରିଥିବା ବେଳେ ଭୁବନେଶ୍ୱରରେ ଯାତ୍ରୀଙ୍କୁ ମୁଣ୍ଡପିଛା ସର୍ବନିମ୍ନ ୨୦ଟଙ୍କା ଭଡ଼ା ଦେବାକୁ ପଡ଼ିବ।
ରାଜଧାନୀ ଅଟୋରିକ୍ସା ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାରମ୍ବାର ତୈଳଦର ବୃଦ୍ଧି ଓ କୋଭିଡ୍ କଟକଣା ଯୋଗୁ ଅଟୋରେ ସର୍ବାଧିକ ୨ଜଣ ଯାତ୍ରୀଙ୍କୁ ପରିବହନ କରିବାର ନିୟମକୁ ଦୃଷ୍ଟିରେ ରଖି ଏହି ଭଡ଼ା ବୃଦ୍ଧି କରାଯାଇଛି। ଯାତ୍ରୀଙ୍କୁ ସର୍ବନିମ୍ନ ୩କିମି ପାଇଁ ୨୦ଟଙ୍କା ଦେବାକୁ ପଡ଼ିବ।
ତା’ଠୁ ଅଧିକ ହେଲେ ୧କିମି ପିଛା ୧୦ଟଙ୍କା ଦେବାକୁ ପଡ଼ିବ। ଯଦି ଅଟୋ ରିଜର୍ଭ କରିବେ ତା’ହେଲେ ୩କିମି ପାଇଁ ଯାତ୍ରୀଙ୍କୁ ୫୦ଟଙ୍କା ଓ ତା’ଠୁ ଅଧିକ ହେଲେ ୧କିମି ପିଛା ଅତିରିକ୍ତ ୧୫ଟଙ୍କା ଦେବାକୁ ପଡ଼ିବ। ୨୦୦୫ ମସିହା ପରଠୁ ଆଉ ଅଟୋ ଭଡ଼ା ଧାର୍ଯ୍ୟ ହୋଇନାହିଁ। ଅଟୋ ରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚଲାଉଛନ୍ତି।
ଭଡ଼ାକୁ ନେଇ ବିଭିନ୍ନ ସମୟରେ ଭୁଲ୍ ବୁଝାମଣା ଓ ଯାତ୍ରୀଙ୍କ ସହ ଝଗଡ଼ା ହେଉଥିବା ବି ଦେଖିବାକୁ ମିଳୁଛି। ଗତ କିଛିଦିନ ହେଲା କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସମୟରେ ଅଟୋଚାଳକଙ୍କ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ତେଣୁ ମହାସଂଘ ଆଜି ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ତେବେ କୋଭିଡ୍ ଗାଇଡଲାଇନ ପାଳନ ପାଇଁ ରାଜ୍ୟ ସରକାର ଗୋଟିଏ ଅଟୋ ରିକ୍ସାରେ ଡ୍ରାଇଭରଙ୍କୁ ମିଶାଇ ସର୍ବାଧିକ ୩ଜଣ ଯାତ୍ରା କରିପାରିବେ ବୋଲି ନିୟମ କରିଥିବାବେଳେ ଅଟୋ ରିକ୍ସା ମହାସଂଘ ଏକତରଫା ଭାବେ ଭଡ଼ା ବୃଦ୍ଧି କରିଛି। ରାଜଧାନୀରେ ମୋ ବସ୍ ଚାଲୁଥିଲେ ମଧ୍ୟ ଅଟୋରିକ୍ସା ଏବେବି ଲୋକଙ୍କ ପରିବହନର ମୁଖ୍ୟ ସାଧନ ହୋଇ ରହିଛି।