ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଉମାବଲ୍ଲଭ ମହାପାତ୍ର
ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ କୁଳପତି ତଥା ସମ୍ବଲପୁର ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଳପତି ଏନ.ନାଗରଜ୍ଜୁଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହାପୂର୍ବରୁ ଆଜି ପ୍ରଫେସର ମହାପାତ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହ ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟ, ଲାଇବ୍ରେରୀ, ଲ୍ୟାବ, କମ୍ପୁଟର ବିଭାଗ ବୁଲିଥିଲେ। ବିଶ୍ୱବିଦ୍ୟାଳୟର ଚାରିଆଡେ ବୁଲିବା ସହ ଶିକ୍ଷାନୁଷ୍ଠାନର ଜମି ସମ୍ପର୍କରେ ଜାଣିବା ପାଇଁ ନିଜେ ବୁଲି ଦେଖିଥିଲେ। ଶେଷରେ ମଧ୍ୟାହ୍ନ ସାଢ଼େ ୧୨ଟାର ପୂର୍ବତନ ଭାରପ୍ରାପ୍ତ କୁଳପତିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କଲେ।
ଏହି ଅବସରରେ ପ୍ରଫେସର ମହାପାତ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ମଡେଲ ଶିକ୍ଷାନୁଷ୍ଠାନ ଭାବରେ ଗଢ଼ି ତୋଳିବାକୁ ଚେଷ୍ଠା କରିବେ ବୋଲି କହିଛନ୍ତି। ଏଥି ସହିତ ବିଶ୍ୱବିଦ୍ୟାଳୟର ଅନେକ ଭିତ୍ତିଭୂମି ରହିଛି। ତାକୁ ସଠିକ ଭାବରେ ବିନିଯୋଗ କରି କେବଳ ଡିଗ୍ରୀଧାରୀ ନୁହେଁ ବରଂ ଭଲ ମଣିଷ ବାହାର କରିବାକୁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି।