ଆଜି ରୁକୁଣା ରଥଯାତ୍ରା: ସେବାୟତ ଓ କର୍ମଚାରୀ ଟାଣିବେ ପ୍ରଭୁ ଲିଙ୍ଗରାଜଙ୍କ ରଥ
![](https://www.odishalink.com/wp-content/uploads/2021/04/ratha-jatra-1.jpg)
ଭୁବନେଶ୍ବର: ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ମାଉସୀ ମା’ ଛକ ସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ବିରାଜମାନ କରିବେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ । ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ।
ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା ହେବ। ସେବାୟତମାନେ ରଥକୁ ଟାଣି ଟାଣି ନେବେ। ପୁଲିସ ଏଥିରେ ସେବାୟତମାନଙ୍କୁ ସହଯୋଗ କରିବେ । ଆଗ ଭଳି ଆଉ ଏବର୍ଷ ରଥଦାଣ୍ଡ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ କୋଳାହଳରେ ଉଛୁଳି ପଡ଼ିବ ନାହିଁ।
ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ। ବିଧି ଅନୁସାରେ ରଥର ପଛ ପଟେ ଦ୍ୱାର ଖୋଲାଯାଏ ଓ ଅଶ୍ବଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ବାରରେ ଯୋଚାଯାଏ।
ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। ଏହା ପ୍ରଭୁ ଲିଙ୍ଗରାଜଙ୍କର ଏକ ସ୍ବତନ୍ତ୍ର ନୀତି। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାର୍ଶ୍ବରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ। ବିଶେଷ କଥା ହେଉଛି, ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାର୍ଶ୍ବ ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ। ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା।
ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ। ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ଏହି ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ସୂଚନାଯୋଗ୍ୟ ଯେ, ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ। ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ ଜାରି କରିଛି । ମନ୍ଦିରରେ କେବଳ ପାଳିଆ ସେବାୟତ ରହି ସେବା କରିବେ। ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବ ଓ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ରହିବ।
ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ । ଶ୍ରୀଜିଉଙ୍କ ବଲ୍ଲଭ, ମା’ଗୋପାଳୁଣୀ(ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ନ ୯ଟା ୧୫ମିନିଟ୍ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ମିନିଟ୍ରେ ଆରମ୍ଭ କରି ଘଣ୍ଟାକ ଭିତରେ ସେବାୟତଗଣ ସାରିବେ ।
ପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ୭ଟାରୁ ସାଢ଼େ ୭ଟାରେ ଲାଗିବ। କିଛି ସମୟ ମଧ୍ୟରେ ମହାପ୍ରଭୁ ରଥରୁ ରାମେଶ୍ୱର ମନ୍ଦିର ବିଜେସ୍ଥଳୀରେ ବିଜେ କରିବେ ।
ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ଯଥାବିଧି ଚାଲିବ। ୨୪ ତାରିଖ ଶନିବାର ଠାକୁର ପୁଣି ରଥରେ ବିଜେ କରି ଗମ୍ଭୀରାକୁ ବାହୁଡ଼ିବେ। ବାହୁଡ଼ା ଯାତ୍ରାରେ ଶ୍ରୀଜିଉଙ୍କ ନୀତି ବିଧିମତେ ସମ୍ପନ୍ନ ହୋଇ ଦିନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଅଧରପଣା ନୀତି ସମାପିତ ହେବ। ଏହାପରେ ସାଢ଼େ ଗୋଟାଏରୁ ୩ଟା ଭିତରେ ପହଣ୍ଡି ବିଜେ ସାରି ଶ୍ରୀଜିଉ ସ୍ୱଗୃହ ପ୍ରତ୍ୟାବର୍ତ୍ତନ ଲାଗି ରଥରେ ବିଜେ ହେବେ। ଅପରାହ୍ନ ସାଢ଼େ ୩ଟାରେ ବାହୁଡ଼ା ରଥଟଣା ଆରମ୍ଭ ହେବା ଲାଗି ନିଷ୍ପତ୍ତି ହୋଇଛି।