କରୋନା: ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍

ଭୁବନେଶ୍ଵର: ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୪୭୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ଅଧିକ ରହିଛି।
ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୨୦୪କୁ ବୃଦ୍ଧି ଘଟିଛି। ଅନ୍ୟପକ୍ଷେ ୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁନବେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ୪୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ କେସ୍ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୩୮୮ ରହିଛି। ଅର୍ଥାତ ସ୍ଥାନୀୟ ସଂକ୍ରମଣ ଏବେ ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଜି ଓଲ୍ଡ ଟାଉନ୍ରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଲ୍ଲୀରୁ ୨୫, ପଟିଆରୁ ୨୩, ଚନ୍ଦ୍ରଶେଖରପୁରରୁ ୨୧, ଟଙ୍କପାଣି ରୋଡ୍ରୁ ୧୮, ଲକ୍ଷ୍ମୀସାଗରରୁ ୧୭, ରସୁଲଗଡରୁ ୧୨, ଜାଗମରାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀ ମହାନଗର ନିଗମରେ ଏ ପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୨୦୪ ରହିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୩,୫୮୫। ଆଜିର ୧୪୦କୁ ମିଶାଇ ମୋଟ୍ ୩୩,୩୪୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୦ରେ ରହିଛି।