ବେକାବୁ କରୋନା, ମହାରାଷ୍ଟ୍ରରେ ହୋଇପାରେ ଲକଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଆଜି ମହାରାଷ୍ଟ୍ରରେ ହୋଇପାରେ ଲକଡାଉନ୍। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ମହାରାଷ୍ଟ୍ର ସରକାର।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, କଡା କଟକଣା ପରେ ପ୍ରତିଦିନ ୫୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିପାଇଁ ମଙ୍ଗଳବାର ଦିନ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ବୈଠକରେ ଅନେକ ମନ୍ତ୍ରୀ ରାଜ୍ୟରେ ଲକ୍ଡାଉନ୍ ଲାଗୁ କରିବାକୁ ଦାବି କରିଥିଲେ। ସମସ୍ତଙ୍କ ଦାବି ନେଇ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଏନେଇ କିଛି ନିଷ୍ପତ୍ତି ନିଆଯାଇପାରେ।
ଅନ୍ୟପଟେ କରୋନା ସ୍ଥିତି ନେଇ ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲକଡାଉନ୍ କରାଯାଇଛି। ସାରା ରାଜ୍ୟରେ ୮ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର। ଏପ୍ରିଲ ୨୨ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ତାଲାବନ୍ଦ ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।
ଏଥିସହ ରାଜସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମାସକ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ୨୨ ଏପ୍ରିଲରୁ ମେ ୨୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୪୪ ଧାରା ଲାଗୁହେବ।