ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ: ମୁଖ୍ୟ ଶାସନ
ଭୁବନେଶ୍ବର: ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କୋଭିଡର ଟ୍ରିପଲ ମ୍ୟୁଟାଣ୍ଟ ଦେଖାଯିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ପୋଲିସ ଚେକିଂ ଜୋରଦାର ହେବା ସହିତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟେଷ୍ଟିଂ ଜାରି ରହିବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।
ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ବେଶ ମାରାତ୍ମକ। ଏହା ବେଶ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ଏହି ନୂଆ ନିୟମ ଜାରି କରାଯାଇଛି। ଏନେଇ ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସୂଚିତ କରାଯାଇଛି।
ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ଆସନ୍ତାକାଲିଠୁ ଚେକିଂ କରାଯିବା ସହିତ ଲୋକମାନଙ୍କ ଟେଷ୍ଟିଂ କରାଯିବ। ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ଲୋକମାନଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। କୌଣସି ଲୋକ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେନି। ଯଦି ଲୋକଙ୍କ ପାଖରେ ୪୮ ଘଣ୍ଟା ଭିତରେ ହୋଇଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ କିମ୍ବା ଦୁଇଟି ଡୋଜ୍ କୋଭିଡ୍ ଭାକ୍ସିନ୍ ନେଇଥିବା ସାର୍ଟିଫିକେଟ୍ ଥିବ ତେବେ ତାଙ୍କୁ ଘରକୁ ଆସିବାକୁ ସୁଯୋଗ ମିଳିବ ବୋଲି ସୁରେଶ ମହାପାତ୍ର କହିଛନ୍ତି।
ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ଲୋକମାନଙ୍କୁ ସତର୍କ ରହିବା ସହିତ ମାଇକ୍ ଯୋଗେ ପ୍ରଚାର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ, ପୋଲିସର ମଧ୍ୟ ସହଯୋଗ ନିଆଯାଇପାରେ।