ଝରାଫୁଲ ମୃତ୍ୟୁ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶକ୍ତିଶେଖର ସ୍ୱାଇଁ। ଘଟଣା ପରଠାରୁ ଶକ୍ତିଶେଖର ଫୋରାର ଥିଲା।
ଯାଜପୁର ପୁଲିସ ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରିଛି ଏନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି। ପୂର୍ବରୁ ଝରାଫୁଲ ମୃତ୍ୟୁ ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା। ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲା। ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ।
ଝରାଫୁଲ ବସ୍ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍ କରିଥିଲେ। ଝରାଫୁଲ ଫୋନ୍ ରିସିଭ୍ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା। ୨୭ ତାରିଖ ସକାଳେ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟମଟର୍ମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା।