ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଝାଡା-ବାନ୍ତି ହେବାରୁ ଓହ୍ଲାଇ ଦେଲା ଅଟୋ ଚାଳକ

ଜୟପୁର: କରୋନା ସଂକ୍ରମଣ ହାର ଦିନକୁ ଦିନ ବଢୁଥିବା ବେଳେ ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। ଘରକୁ ଫେରିବା ସମୟରେ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଶ୍ୟାମ ଭୋଇ। ବୋରିଗୁମ୍ମା ଥାନା ଅନ୍ତର୍ଗତ କସାଗୁଡା ଗ୍ରାମ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଶ୍ୟାମ ଭୋଇ ଏକ ଇଟାଭାଟି ମାଲିକଙ୍କ ପାଖରେ ଦୀର୍ଘ ୬ମାସ ହେବ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ କିଛି ଦିନ ହେବ ଶ୍ୟାମଙ୍କ ଦେହ ଖରାପ ଥିଲା। ସେଠାରେ କାର୍ଯ୍ୟ କରୁଥିବା ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଗତ ମଙ୍ଗଳ ବାର ଦିନ ହାଇଦ୍ରାବାଦରୁ ନିଜ ଗ୍ରାମ ଅଭିମୁଖେ ବାହାରି ଥିଲେ। ଗତକାଲି ସକାଳୁ ସକାଳୁ ଏକ ବସ ଯୋଗେ ଛତିଶଗଡ଼ -ଓଡିଶା ସୀମାରେ ପହଞ୍ଚି ଥିଲେ।
ଚାନ୍ଦିଲି ଠାରୁ ଏକ ଅଟୋ ଯୋଗେ ଓଡ଼ିଶା ଆସିବା ବେଳେ ଅଧା ବାଟରେ ଶ୍ୟାମଙ୍କୁ ଝାଡା-ବାନ୍ତି ହୋଇଥିଲା। ଫଳରେ ଅଟୋ ଚାଳକ ଜଣକ ତାଙ୍କୁ କସଗୁଡା ନିକଟରେ ଓହ୍ଲାଇ ଚାଲି ଯାଇଥିଲେ। କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବୋରିଗୁମ୍ମା ତହସିଲଦାର ,ଥାନାଧିକାରୀ ପହଞ୍ଚି ମୃତ ଦେହକୁ ଏକ ସ୍ୱତନ୍ତ ଗାଡିରେ ଗାଁକୁ ପଠାଇଥିଲେ।