ବଦଳିଲା ତାରିଖ: ମେ ୧୬ରେ ପିପିଲି ଉପନିର୍ବାଚନ
![](https://www.odishalink.com/wp-content/uploads/2021/04/PIPILI_ELECTION-750x430.jpg)
ଭୁବନେଶ୍ବର: ପୁଣି ବଦଳିଲା ପିପିଲି ଉପନିର୍ବାଚନର ତାରିଖ। ମେ’ ୧୩ ବଦଳରେ ମେ’ ୧୬ରେ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ମେ’ ୧୯ରେ ଭୋଟଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବାକୁ ଥିବା ବେଳେ ଭୋଟଗ୍ରହଣର ଦୁଇଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ଭୋଟ ସ୍ଥଗିତ ରହିଥିଲା। ପରେ ମେ’ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଥିଲା। ତେବେ ମେ’ ୧୩ରେ ଇଦ୍ ଉତ୍ସବ ପଡ଼ୁଥିବାରୁ ଏହାକୁ ପୁନର୍ବାର ଘୁଞ୍ଚାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର କହିଛନ୍ତି।
କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏହି ଭୋଟଗ୍ରହଣ ପାଇଁ ଏକ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନ୍। ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳିତ ହେବ ବୋଲି ସୁଶୀଲ କୁମାର କହିଛନ୍ତି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।