ରାଜଧାନୀରେ ହେବ ରିଙ୍ଗ୍ ରୋଡ୍, ଅନୁମତି ଦେଲେ ରାଜ୍ୟ ସରକାର
![](https://www.odishalink.com/wp-content/uploads/2021/04/Ring-Road.jpg)
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ତିଆରି ହେବ ରିଙ୍ଗ୍ ରୋଡ୍। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ୬ ଲେନ୍ ବିଶିଷ୍ଟ ଏହି ରିଂ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଖୋର୍ଦ୍ଧା-ଭୁବନେଶ୍ବର- ଆଠଗଡ଼-କଟକ-ଚୌଦ୍ବାରକୁ ଏହି ରିଂ ରୋଡ୍ ସଂଯୋଗ କରିବ। ୧୧୧.୨ କିମି ଦୀର୍ଘ ରିଂ ରୋଡ୍ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ଜମି ଅଧିଗ୍ରହଣ ଲାଗି ରାଜ୍ୟ ସରକାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଭୁବନେଶ୍ବର ଚତୁପାର୍ଶ୍ବରେ ଏହି ପ୍ରକଳ୍ପ କରାଯିବ । ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ପୂର୍ତ୍ତ ବିଭାଗ।
ଏହି ରି ରୋଡ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜଧାନୀରେ ଗାଡ଼ିମୋଟର ଚଳାଚଳ ସୁରୁଖୁରୁରେ ହୋଇପାରିବ। ସହର ମଧ୍ୟରୁ ଭିଡ଼ କମାଇବା ଲାଗି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର।