ମଦ ନ ପାଇ ପିଇଲେ ସାନିଟାଇଜର୍, ୭ ମୃତ

ମୁମ୍ବାଇ: ମଦ ନ ପାଇ ସାନିଟାଇଜର୍ ପିଇ ୭ ମୃତ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ୟବତମାଲରେ। ମହାରାଷ୍ଟ୍ରରେ କରୋନା ସଂକମ୍ରଣ ଦ୍ରୁତ ମାତ୍ରାରେ ବ୍ୟାପୁଥିବାରୁ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ତେଣୁ ରାଜ୍ୟର ସବୁ ମଦ ଦୋକାନ ବନ୍ଦ କରିଦିଆଯାଇଛି। ମଦ ନପାଇ ସାନିଟାଇଜର୍ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି।
ସୁଚନା ମୁତାବକ, ୟବତମାଲ ଜିଲ୍ଲାର ବଣୀ ସହରରେ ଲକଡାଉନ କାରଣରୁ ମଦ ମିଳିନଥିଲା। ଫଳରେ ୭ଜଣ ଲୋକ ଦିନ ମଜୁରିଆ ସାନିଟାଇଜର୍ ପିଇଦେଇଥିଲେ। ଏହାପରେ ସେମାନଙ୍କ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ ବୋଲି ଘୋଷଣା କଲେ।
ପୋଲିସ୍ କହିବାନୁସାରେ, ଏହି ମାମଲାର ଏବେ ତଦନ୍ତ ଚାଲିଛି। ବର୍ତ୍ତମାନ ଉକ୍ତ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ପୋଷ୍ଟ ମର୍ଟମ୍ କରାଯାଇଛି। ଆଉ ବାକି ୪ ଜଣଙ୍କର ପରିବାର ଲୋକଙ୍କୁ ନଜଣାଇ ଶବସତ୍କାର କରାଯାଇଥିବା ଜଣାପଡିଛି। ଗତବର୍ଷ ଏଭଳି ଖବର ସାମନାକୁ ଆସିଥିବା ବେଳେ ଏବେ ଘଟଣାର ପୁନରାବୃତ୍ତି ଘଟିଛି।