ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ ସିନେମା
ତିନୋଟି ଯାକ ଚଳଚ୍ଚିତ୍ର କାହାଣୀ ଓ ପ୍ରସ୍ତୁତି ଦୃଷ୍ଟିରୁ ନିଆରା ହୋଇଥିଲେ ହେଁ ଟ୍ରେଲର୍ ଭାଇରାଲ୍ ହେବା ପରେ ମୌଳିକତା ଓ ରଚନାତ୍ମକତା ନେଇ 'ଚରିତ୍ର' ଚଳଚ୍ଚିତ୍ରଟି ଅଧିକ ଚର୍ଚ୍ଚାରେ ରହିଛି।

ଭୁବନେଶ୍ବର: ଆସନ୍ତାକାଲି ୨୫ ଏପ୍ରିଲ ରବିବାର ସଂଧ୍ୟାରେ ଏକ ସମୟରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତିନୋଟି ଯାକ ଚଳଚ୍ଚିତ୍ର ଟେଲିଭିଜନ୍ ଚ୍ୟାନେଲରେ ଆସିବ। ଟିଭି ପରଦାରେ ଏକ ସମୟରେ ତିନୋଟି ସିନେମା ଦେଖିବା ସମ୍ଭବ ହେଉ ନଥିବାରୁ ଦର୍ଶକେ କେଉଁଟି ଦେଖିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି।
ସମ୍ପୂର୍ଣ୍ଣ ମୌଳିକ କାହାଣୀ ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି ହେଉଥିବା ‘ଚରିତ୍ର’ ଚଳଚ୍ଚିତ୍ରଟି ଆସନ୍ତାକାଲି ସଂଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିବ। ଶିଶିର କୁମାର ସାହୁ ଓ ପିନାକୀ ସିଂହଙ୍କ ନିର୍ଦ୍ଦେଶିତ ଏ ସିନେମାର କାହାଣୀ ଲେଖିଛନ୍ତି ଶିଶିର। ସିନେମାଟିର ପ୍ରମୋସନାଲ ଭିଡିଓ ବେଶ୍ ଉତ୍ସାହପ୍ରଦ ହୋଇଥିବା ବେଳେ ଏହାର ସଂଗୀତ ମଧ୍ୟ ଶ୍ରୋତାଙ୍କ ମନ ମୋହିବ ବୋଲି ଆଶା କରାଯାଉଛି।
ସମାନ ସମୟରେ ରବିବାର ସଂଧ୍ୟା ୬ଟା ୩୦) ତରଙ୍ଗ ଟିଭିରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘୭୨ ଆଓ୍ବାର୍ସ’। ଅବଶ୍ୟ ବର୍ଷେ ତଳେ ଏହା ଏକ ଓ୍ବେବ୍ ସିରିଜ୍ ଆକାରରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଅଜୟ ପାଢ଼ିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସଂଳାପ ଓ ଚିତ୍ରନାଟ୍ୟ ମିଳିତ ଭାବେ ବିଜୟ କିଶୋର ଓ ମାନସ ପଢ଼ିଆରୀ ଲେଖିଥିବା ବେଳେ କାହାଣୀ କିଏ ଲେଖିଛି ତାହା ଉଲ୍ଲେଖ କରାଯାଇନାହିଁ। ଏଣୁ କାହାଣୀଟି ହୁଏତ ଅନ୍ୟ କେଉଁ ଚଳଚ୍ଚିତ୍ର ଆଧାରରେ ବା ସ୍ବତ୍ବ କିଣି କରାଯାଇଥାଇ ପାରେ ବୋଲି ବିଶ୍ବାସ କରାଯାଏ।
ତୃତୀୟ ସିନେମା ‘ମୋନାଲିସା’ ମଧ୍ୟ ଆସନ୍ତାକାଲି ସଂଧ୍ୟା ୬ଟା ୩୦ରେ ଭି-ସାର୍ଥକ୍ ଟିଭିରେ ମୁକ୍ତିଲାଭ କରିବ। ଏଲିନା ସାମନ୍ତରାୟଙ୍କ ଅଭିନୀତ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଚଳଚ୍ଚିତ୍ରଟି ଚଳିତ ବର୍ଷ ଦୁଇଟି ଜାତୀୟ ପୁରସ୍କାର ପାଇଥିବା ମଲାୟଲମ୍ ଚଳଚ୍ଚିତ୍ର ‘ହେଲେନ୍’ର ସମ୍ପୂର୍ଣ୍ଣ ନକଲ ବୋଲି ଜଣାପଡ଼ିଛି। ତେବେ ମୂଳ କାହାଣୀ ଲେଖକ ଅଥବା ପ୍ରଯୋଜକଙ୍କ ଠାରୁ ଏଥିପାଇଁ କୌଣସି ଅନୁମତି ନିଆଯାଇନାହିଁ। ‘ହେଲେନ୍’ର ରାଇଟ୍ସ ରଖିଥିବା ବୋନି କପୁରଙ୍କ ବେଓ୍ବେ ପ୍ରୋଜେକ୍ଟନ୍ସ ଏଲ୍ଏଳଲ୍ପି କମ୍ପାନୀ ଏ ନେଇ ଓଡ଼ିଆ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ନେଇ ତାଙ୍କର ଆଇନ ପରାମର୍ଶଦାତା ପଙ୍କଜ ଖାରବଣ୍ଡା ଓଡ଼ିଶା ଲିଙ୍କକୁ ସୂଚନା ଦେଇଛନ୍ତି।
ତିନୋଟି ଯାକ ଚଳଚ୍ଚିତ୍ର କାହାଣୀ ଓ ପ୍ରସ୍ତୁତି ଦୃଷ୍ଟିରୁ ନିଆରା ହୋଇଥିଲେ ହେଁ ଟ୍ରେଲର୍ ଭାଇରାଲ୍ ହେବା ପରେ ମୌଳିକତା ଓ ରଚନାତ୍ମକତା ନେଇ ‘ଚରିତ୍ର’ ଚଳଚ୍ଚିତ୍ରଟି ଅଧିକ ଚର୍ଚ୍ଚାରେ ରହିଛି।