ଆଜିଠୁ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା, ବାହାର ଲୋକଙ୍କ ଶବଦାହ ମନା
ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ

ପୁରୀ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ପୁରୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଲଗାଇଛି କଟକଣା। ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ହେଉଥିବା ଶବଦାହକୁ ନେଇ ଲଗାଇଛି କଟକଣା। ଆଜିଠୁ ସ୍ବର୍ଗଦ୍ବାରରେ ବାହାର ଲୋକଙ୍କ ଶବଦାହ ଉପରେ କଟକଣା ଲଗାଇଛି ପ୍ରଶାସନ।
ନିୟମ ମୁତାବକ, ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । ପୁରୀ ଜିଲ୍ଲାର ଲୋକଙ୍କର କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସେମାନଙ୍କ ଶବଦାହ କରିପାରିବେ। ହେଲେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି।
ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ କରିପାରିବେ ନାହିଁ କିମ୍ବା ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।