ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ
ପୁରୀ: ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମେ ୧୫ ତାରିଖ ଯାଏଁ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସମସ୍ତ ଧର୍ମାନୁଷ୍ଠାନରେ କେବଳ ରୀତିନୀତି ପାଳନ ହେବ। କିନ୍ତୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ମେ ୧୫ ପରେ ସ୍ଥିତିକୁ ନଜରରେ ରଖି ପୁଣି ନିଷ୍ପତ୍ତି ନିଆଯିବ ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ଗତକାଲି ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି। ମେ ୧୫ ଯାଏଁ ଏହି ନିୟମ ବଳବତ୍ତର ରହିବ। ଏହି ସମୟରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିବ। କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ରୀଜିିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି।
ସେହିପରି ମହାମାରୀର ଭୟାବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ କଟକଣା ଲାଗୁ । ଗତକାଲି ଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ପୁରୀ ଜିଲ୍ଲାର ଲୋକେ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ। କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ। ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି। ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ।