ସିଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

ଭୁବନେଶ୍ବର: କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ସିଇଟି)କୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବି କରି ମହାବିଦ୍ୟାଳୟର ଛାତ୍ର ସଙ୍ଗଠନ ପକ୍ଷରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ମହାବିଦ୍ୟାଳକୁ ବିଶ୍ବବିଦ୍ୟାଳୟ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାୁ ନାହିଁ। ବିଦ୍ୟାର୍ଥୀ ହିତକୁ ଦୃଷ୍ଟିରେ ରଖି ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରିବା ପାଇଁ ସଙ୍ଗଠନ ଦାବି କରୁଛି। ଏ ସଂକ୍ରାନ୍ତ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଛାତ୍ର ସଙ୍ଗଠନର ସାଧାରଣ ସମ୍ପାଦକ ଅଭିଶେକ ପାଣି କହିଛନ୍ତି।
ଅଭିଶେକ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ସିଇଟିରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ୨୦୧୪ରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହାର ୨ବର୍ଷ ଭିତରେ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରା ନଯିବା ଦ୍ବାରା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ମାନପତ୍ର ପ୍ରେରଣା କରାଯାଇଥିଲା।
୨୦୧୮ରେ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ନେଇ ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ। ସିଇଟି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ( ବିପିୟୁଟି) ଅଧୀନରେ ପରିଚାଳିତ। ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ରାଉରକେଲା ବିପିୟୁଟି କାର୍ଯ୍ୟାଳୟ ଦୌନିବାକୁ ପଡ଼ୁଛି। ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ନିମନ୍ତେ ବିପିୟୁଟି ପାଖରୁ ଅନୁମତି ଆଣିବାକୁ ପଡ଼ୁଛି। ବିଶ୍ବବିଦ୍ୟାଳୟ ହେବା ଦ୍ବାରା ସିଇଟି ଏବଂ ଏହାର ଅଧିନସ୍ଥ ଅନ୍ୟାନ୍ୟ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଛାତ୍ରଛତ୍ରୀ ଉପକୃତ ହେବେ।