Odisha Link
Bridging the Missing Links in Odisha

ନବୀନ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ

ମହିଳା ଏସ‌ଆଇ ମୋତେ ଅନ୍ଧୁଣୀ କହିବା ସହ ପାଟି ଚୁପ‌ ରଖିବାକୁ କହିଥିଲେ

ଆଳି: ନବୀନ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ। ଦୁର୍ବ୍ୟବହାର ଶିକାର ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ମୁଁ ରମାଦେବୀ କଲେଜରେ ଯୁକ୍ତ ୨ରେ ପଢୁଛି। ନବୀନ ପଟ୍ଟନାୟକଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଯାଏ। ସେ ମୋ ଭାଇ, ସେ କେବେ ନିରାଶ କରି ନାହାନ୍ତି।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲାର ଦିବ୍ୟାଙ୍ଗ ଛାତ୍ରୀ ନାଁ ପ୍ରମିଳା ଜେନା ଜମିବାଡ଼ି ବିବାଦକୁ ନେଇ ଗତ ୨୩ ତାରିଖରେ ତାଙ୍କ ଜଣେ ଭାଇ-ଭାଉଜ ତାଙ୍କୁ ଗାଳି ଗୁଲଜ କରିଥିଲେ। ଫଳରେ ସେ ଅନ୍ୟ ଜଣେ ଭାଇଙ୍କ ସହାୟତାରେ ରାଜକନିକା ଥାନାରେ ଏନେଇ ଏତଲା ଦେଇଥିଲେ।

ପ୍ରମିଳା ଅଭିଯୋଗ କରିବାର ତିନି ଦିନ ପରେ ରାଜକନିକା ଥାନା ମହିଳା ଏସ‌ଆଇ ତାଙ୍କୁ ଡକାଇଥିଲେ। ହେଲେ ମାମଲାର ସମାଧାନ କରିବା ବଦଳରେ ଏସ‌ଆଇ ତାଙ୍କ ସହିତ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଅନ୍ଧୁଣୀ ବୋଲି ମଧ୍ୟ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରମିଳା କହିଛନ୍ତି, ମୋ ଜାଗାବାଡ଼ି ଉପରେ ଷ୍ଟେ ଅର୍ଡର କରିଛି ଘନ ଜେନା। ମୋ ଭାଇମାନେ ପଇସା ଦେଇ କେସ‌ ଲଢୁଥିବା ବେଳେ ଜଣେ ଭାଇ ପଇସା ଦେଉ ନାହାନ୍ତି। ତାଙ୍କୁ ପଇସା ମାଗିବା ବେଳେ ଭାଇ-ଭାଉଜ ମୋତେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମହିଳା ଏସ‌ଆଇ କାନନବାଳା ସାହୁ ମୋତେ ଅନ୍ଧୁଣୀ କହିବା ସହ ପାଟି ଚୁପ‌ ରଖିବାକୁ କହିଥିଲେ। ପାଟି ଚୁପ‌ ନରଖିଲେ ଜେଲରେ ପୂରାଇ ଦେବେ ବୋଲି କହିଥିଲେ।

ଏ ଘଟଣା ସଂପର୍କରେ ପ୍ରମିଳା ଇ-ମେଲ କରି କେନ୍ଦ୍ରାପଡ଼ା ଏସପିଙ୍କୁ ଜଣାଇଛନ୍ତି। ଏସଆଇଙ୍କ ବ୍ୟବହାର ତାଙ୍କୁ କଷ୍ଟ ଦେଇଛି ବୋଲି ପ୍ରମିଳା କହିଛନ୍ତି। ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପ୍ରମିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜକନିକା ଥାନା ମହିଳା ଏସଆଇ। ସେ କହିଛନ୍ତି, ମୁଁ ସେମାନଙ୍କୁ କହିଲି ତୁମମାନଙ୍କର ଜମିବାଡ଼ି ସମସ୍ୟା। ତୁମ ନିଜ ଭିତରେ ଏହାର ସମାଧାନ କର। ନହେଲେ ସମସ୍ତଙ୍କୁ ବାନ୍ଧିବି। ହେଲେ ଅନ୍ଧୁଣୀ ବୋଲି କହି କାହାକୁ ଗାଳି କରିନି। ମୋତେ କ’ଣ ମୋ ଚାକିରି ପିତା ଲାଗିଲାଣି ଯେ ତାକୁ ଅନ୍ଧୁଣୀ କହିବି।

Leave A Reply

Your email address will not be published.