ପାଠପଢ଼ାରେ ବାଧକ ସାଜି ପାରିଲାନି କରୋନା
ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଚଳାଇଛନ୍ତି ପ୍ରସ୍ତୁତି
ବ୍ରହ୍ମପୁର: ନିଜର ଅଦମ୍ୟ ପାଠପଢ଼ା ନେଇ ଇଛାଶକ୍ତି ଆଗରେ ବାଧକ ସାଜି ପାରିନି କରୋନା। କରୋନା ମହମାରୀ ଦୁର୍ବଳ କରିପାରିନି ତାଙ୍କ ମନୋବଳ। କରୋନା କାଳରେ ଲୋକ ପଜିଟିଭ ହେଇ ଛାନିଆ ହେଉଥିବା ବେଳେ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକ ନିଜ ପାଠପଢ଼ାରେ ବ୍ୟସ୍ତରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଯୁବକ ଜଣକ ଛନକା ହେବା ତ ଦୂରର କଥା ରୋଗୀଙ୍କ ମଧ୍ୟରେ ରହି ସେ ନିଜ ପାଠପଢ଼ାରେ ହଜି ଯାଇଛନ୍ତି। ଯୁବକ ଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଚଳାଇଛନ୍ତି ପ୍ରସ୍ତୁତି। ମେଡିକାଲ ବେଡ୍ରେ ବହି ଧରି ପଢୁଛନ୍ତି ପାଠ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉକ୍ତ ହସ୍ପିଟାଲକୁ ପରିଦର୍ଶନରେ ଯାଇଥିବା ବେଳେ ଏହା ତାଙ୍କ ନଜରରେ ପଡ଼ିଥିଲା।
ଜିଲ୍ଲାପାଳ ଯୁବକଙ୍କ ସହ କଥା ହେବା ପରେ ପାଠପଢ଼ା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଦେଖି ବେଶ୍ ପ୍ରଶଂସା ବି କରିଥିଲେ। କେବଳ ନିଜ ଉପରେ ବିଶ୍ୱାସ ନୁହେଁ ଅଦମ୍ୟ ଇଛା ଶକ୍ତି ସଫଳତା ଆଣିଦିଏ ବୋଲି ଯୁବକ ଜଣକ ପ୍ରମାଣିତ କରି ଦେଖାଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
ଯୁବକଙ୍କୁ ପ୍ରଶଂସା କରିବା ସହ ସଫଳତା ପାଇଁ ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ। କୌଣସି ଜିନିଷରେ ହଜିଗଲେ ଦେହର ଯନ୍ତ୍ରଣା ବି ତୁଚ୍ଛ ମନେ ହୁଏ। ଏହାପରେ ସଫଳତା ଏକମାତ୍ର ଔପଚାରିକତା ବୋଲି ଟ୍ୱିଟ୍ କରିଛନ୍ତି ଜିଲ୍ଲାପାଳ।