ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ, ଦିନକରେ ୩ ଲକ୍ଷ ୮୬ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା
ଗତ ୨୪ ଘଣ୍ଟା ମଧ୍ୟରେ ୨,୯୭,୫୪୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ସଂଖ୍ୟା ୧,୫୩,୮୪,୪୧୮ରେ ପହଞ୍ଚିଛି।

ନୂଆଦିଲ୍ଲୀ: ମହାମାରୀର କରାଳ ରୂପରେ ଘାଣ୍ଟି ହେଉଛି ସାରା ଦେଶ। ଦିନକୁ ଦିନ ଦେଶରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୬, ୪୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩,୮୬,୪୫୨ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୩,୪୯୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୮୭,୬୨,୯୭୬ ଓ ମୃତ୍ୟୁ ସଂଖ୍ୟା ୨, ୦୮,୩୩୦ରେ ପହଞ୍ଚିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨,୯୭,୫୪୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ସଂଖ୍ୟା ୧,୫୩,୮୪,୪୧୮ରେ ପହଞ୍ଚିଛି। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୫,୨୨,୪୫,୧୭୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।