ଦାଉ ସାଧିଲା ପ୍ରକୃତି: ବଜ୍ରପାତରେ ଜଳିଗଲା ୨୦ ବଖରା ଘର

ଭଦ୍ରକ: ବଜ୍ରପାତରେ ଜଳିଗଲା ୨୦ ବଖରା ଘର। ଭଦ୍ରକ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ଦାଉ ସାଧିଛି ପ୍ରକୃତି। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ହୋଇଥିଲା। ବଜ୍ରପାତରେ ୧୧ଟି ପରିବାରର ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି।
ବଜ୍ରାଘାତ ଯୋଗୁଁ ଘରେ ନିଆଁ ଲାଗି ଯାଇଥିଲା। ପାଖା ପାଖି ଘର ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା। ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି।
ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି।