୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!
ସରକାର ନିଜର ଗୋଟିଏ ସାମ୍ବାଦିକ ତାଲିକା ପ୍ରସ୍ତୁତ କରିଛନ୍ତି ଓ ସେଥିରେ ୬୯୪୪ ଜଣ ସାମ୍ବାଦିକଙ୍କର ନାମ ରହିଛି। କହିବାରେ ଦ୍ବିଧା ନାହିଁ, ସାମ୍ବାଦିକତାରେ ଆଦୌ ନଥିବା ଅନେକଙ୍କ ନାମ ଏ ତାଲିକାରେ ଥିବା ବେଳେ ନିୟମିତ ସାମ୍ବାଦିକତା କରି ଏ ବିପତ୍ତି ବେଳେ ଲୋକଙ୍କ ନିକଟରେ ଖବର ପହଞ୍ଚାଉଥିବା ବହୁ ସାମ୍ବାଦିକ ଏ ତାଲିକାରେ ନାହାନ୍ତି। ଦୁଃଖର କଥା, ଗତବର୍ଷ ଓ ଏ ବର୍ଷ ପ୍ରାଣ ହରାଇଥିବା କିଛି ସାମ୍ବାଦିକ ମଧ୍ୟ ଏ ତାଲିକାଭୁକ୍ତ ହୋଇନାହାନ୍ତି।
ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ ବିଶେଷ ଉତ୍ଫୁଲିତ ହେବାର ଅବକାଶ ନାହିଁ। କାରଣ ଏଇ କଥା ଗତବର୍ଷ ଠାରୁ ସରକାର ଘୋଷଣା କରି ସାରିଛନ୍ତି।
ରାଜ୍ୟରେ କରୋନାର ପ୍ରଥମ ଜୁଆର ପ୍ରବେଶ କରିବାର ମାସକ ପରେ ୨୦୨୦ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ। ଯେଉଁ ସାମ୍ବାଦିକ କୋଭିଡ୍ରେ ମୃତ୍ୟୁବରଣ କରିବେ ସେମାନଙ୍କ ପରିବାରକୁ ସେତେବେଳେ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏ ଘୋଷଣାକୁ କାର୍ଯ୍ୟରେ ବି ଲଗାଇଥିଲେ ସରକାର। ଏଣୁ ପ୍ରକାରାନ୍ତରେ ଗତବର୍ଷ ଠାରୁ ହିଁ ସରକାର ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବରେ ଗୁରୁତ୍ବ ଦେଇସାରିଛନ୍ତି। ତଥାପି ଆଜିର ଘୋଷଣା ସାମ୍ବାଦିକଙ୍କ ପାଇଁ ଏକ ଖୁସି ଖବର ନିଶ୍ଚୟ।
ସରକାର ଲୁଚାଛପାରେ ଦୁଇଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦେବା ନେଇ ସାମ୍ବାଦିକ ମହଲରେ ତୀବ୍ର ସମାଲୋଚନା ଓ କରୋନାର ଦ୍ବିତୀୟ ତରଙ୍ଗ ଆସିବା ପରେ ରାଜ୍ୟରେ ୧୫ ଜଣ ସାମ୍ବାଦିକ କୋଭିଡ୍ ଆକ୍ରାନ୍ତ ହୋଇ ପ୍ରାଣ ହାରିବା ପରେ ଆଜି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପାଇଁ ଦରଦ ଦେଖାଇଛନ୍ତି। ଗତବର୍ଷ ମଧ୍ୟ ୪୦ ପାଖାପାଖି ସାମ୍ବାଦିକ ଏ ରୋଗରେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏ ସାମ୍ବାଦିକ ସମସ୍ତେ ସରକାର ଘୋଷଣା କରିଥିବା ସୁବିଧା ପାଇଲେ କି ବା ପାଇବେ କି? ସମ୍ଭବତଃ ଉତ୍ତର ହେବ ନା।
ସରକାର ନିଜର ଗୋଟିଏ ସାମ୍ବାଦିକ ତାଲିକା ପ୍ରସ୍ତୁତ କରିଛନ୍ତି ଓ ସେଥିରେ ୬୯୪୪ ଜଣ ସାମ୍ବାଦିକଙ୍କର ନାମ ରହିଛି। କହିବାରେ ଦ୍ବିଧା ନାହିଁ, ସାମ୍ବାଦିକତାରେ ଆଦୌ ନଥିବା ଅନେକଙ୍କ ନାମ ଏ ତାଲିକାରେ ଥିବା ବେଳେ ନିୟମିତ ସାମ୍ବାଦିକତା କରି ଏ ବିପତ୍ତି ବେଳେ ଲୋକଙ୍କ ନିକଟରେ ଖବର ପହଞ୍ଚାଉଥିବା ବହୁ ସାମ୍ବାଦିକ ଏ ତାଲିକାରେ ନାହାନ୍ତି। ଦୁଃଖର କଥା, ଗତବର୍ଷ ଓ ଏ ବର୍ଷ ପ୍ରାଣ ହରାଇଥିବା କିଛି ସାମ୍ବାଦିକ ମଧ୍ୟ ଏ ତାଲିକାଭୁକ୍ତ ହୋଇନାହାନ୍ତି।
ଓଡ଼ିଶାର ଅଳ୍ପ କେତେଜଣ ଅତି ସ୍ବଚ୍ଛଳ ସାମ୍ବାଦିକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବହୁତ ବଡ଼ ପରିମାଣ। ଜୀବଦ୍ଦଶାରେ ଯିଏ ୧୫ ଲକ୍ଷ ଟଙ୍କା ନିଜ ପରିବାରକୁ ଦେଇ ପାରି ନ ଥିବ ମୃତ୍ୟୁ ପରେ ଯେ ତା ପିଲାଛୁଆ ଏତିକି ଟଙ୍କା ପାଇପାରିବେ ଏହା ତା’ ପାଇଁ ବଡ଼ ଆଶ୍ବସ୍ତି ନିଶ୍ଚୟ। ଓଡ଼ିଶାରେ ଖୁବ୍ କମ୍ ପରିବାର ଗର୍ବରେ କହୁଥିବେ- ମୋ ବାପା/ ଭାଇ/ ପୁଅ/ ଝିଅ/ ଭଉଣୀ/ ସ୍ବାମୀ/ ମା’/ ସ୍ତ୍ରୀ ସାମ୍ବାଦିକ ବୋଲି। ସରକାରୀ ଚାକିରିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ସର୍ବନିମ୍ନ ଆୟ ଯେତିକି ଓଡ଼ିଶାରେ ୯୫ ପ୍ରତିଶତ ସାମ୍ବାଦିକଙ୍କର ଆୟ ତାହା ଠାରୁ ଯଥେଷ୍ଟ କମ୍। ଏଣୁ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରି ସରକାର ବହୁତ ବଡ଼ କାମଟିଏ କରିଛନ୍ତି ନିଶ୍ଚୟ। ବଞ୍ଚିଥିଲା ବେଳେ ନ ହେଲା ନାହିଁ, ଅନ୍ତତଃ ମୃତ୍ୟୁ ପରେ ପରିବାର ଲୋକ ସାମ୍ବାଦିକଟିର ବୃତ୍ତିକୁ ନେଇ ଗର୍ବ କରିପାରିବେ।
ତେବେକେଉଁମାନେ କୋଭିଡ୍ ଯୋଦ୍ଧା? ଭୁବନେଶ୍ବରରେ ଓବି ଭ୍ୟାନ୍ ପଛେ ପଛେ ଏସି କାର୍ରେ ବୁଲୁଥିବା ବଡ଼ ଗଣମାଧ୍ୟମ ସଂସ୍ଥାର ପରିଚୟପତ୍ରଧାରୀ ସାମ୍ବାଦିକ, ନା ଶସ୍ତା ମୋବାଇଲ ଧରି ଗାଁ ବିକାଶକୁ ଗୋଡ଼େ ଗୋଡ଼େ ଜଗିଥିବା ଖାତା ଖତିଆନା ବିହୀନ ନାଗରିକ ସାମ୍ବାଦିକ – କାହା ପାଇଁ ସରକାରଙ୍କର ଏ ଘୋଷଣା? ଏଇ ଦୁଇ କରୋନା ଲଢ଼ୁଆଙ୍କ ମଧ୍ୟରେ ଆହୁରି ବହୁ କିସମର ସାମ୍ବାଦିକ ରହି ଯାଇଛନ୍ତି, ଯଥା- ବଡ଼ ଖବରକାଗଜର ସାମ୍ବାଦିକ, କୁଜି କାଗଜର ସାମ୍ବାଦିକ, ବଡ଼ ଟିଭି ଚ୍ୟାନେଲର ସାମ୍ବାଦିକ, ଓ୍ବେବ୍ଟିଭିର ସାମ୍ବାଦିକ, ଘରେ ବସି ଫେସବୁକ ପେଜ୍ ଅଥବା ୟୁଟ୍ୟୁବ୍ ଆକାଉଣ୍ଟ୍ ଖୋଲି ବୁମ୍ ଧରି ଖରାରେ ପଇଁତରା ମାରୁଥିବା ସାମ୍ବାଦିକ, ନ୍ୟୁଜ୍ ଓ୍ବେବ୍ ପୋର୍ଟାଲର ସାମ୍ବାଦିକ, କେବଳ ଓ୍ବେବ୍ସାଇଟ୍ ଖୋଲିଦେଇ ୨୩ ଦିନରେ ୩ଟା ପ୍ରେସ୍ ବିବୃତ୍ତି ପକାଉଥିବା ସାମ୍ବାଦିକ, ନିଜେ ମାଲିକ ନିଜେ କର୍ମଚାରୀ ସାଜି ଏକାକୀ ଖବର ସଂଗ୍ରହରେ ମାତିଥିବା ସାମ୍ବାଦିକ, ଗାଁରେ ଶାଗୁଆନ ଗଛ ବିକି ଭୁବନେଶ୍ବରରେ ଘରଭଡ଼ା ନେଇ କିଛି ସାମ୍ବାଦିକଙ୍କୁ ଆୟ ଦେବା ଆଶାରେ ଖବର ସଂସ୍ଥା ଖୋଲିଥିବା ସାମ୍ବାଦିକ, ମାସ ଶେଷ ନ ହେଉଣୁ ବ୍ୟାଙ୍କ ଆକାଉଣ୍ଟରେ ଦରମା ପାଇ ଯାଉଥିବା ସାମ୍ବାଦିକ, ଦିନରାତି ଖଟି ୩ ମାସରେ ଥରେ ଦରମା ପାଇ ବାପାଙ୍କୁ ଟଙ୍କା ମାଗି ବାଇକରେ ତେଲ ଭରୁଥିବା ସାମ୍ବାଦିକ। ନା କିଛି ଖାତା ଖତିଆନା ନଥିବା ମିଛ ଗଣମାଧ୍ୟମ ସଂସ୍ଥାରୁ କାର୍ଡ ଖଣ୍ଡେ ଆଣି ଗାଡ଼ି ଆଗରେ ପ୍ରେସ୍ ଲେଖି ବୁଲୁଥିବା ମାଳମାଳ ନକଲି ସାମ୍ବାଦିକ?
ଏମାନଙ୍କ ଭିତରୁ କିଏ ଅସଲ କୋଭିଡ୍ ଯୋଦ୍ଧା?
ଛୋଟ, ଧଇଁଆ, ନାମହୀନ ସଂସ୍ଥାର ପ୍ରତିନିଧି, ଆତ୍ମଘୋଷିତ ସାମ୍ବାଦିକଙ୍କ କଥା ଛାଡ଼ନ୍ତୁ, ଗତବର୍ଷ ଲକ୍ଡାଉନ୍ ସମୟରେ ଘଟିଥିବା ଦୁଇଟି ଉଦାହରଣ ଦେଲେ ବଡ଼ବଡ଼ ସମ୍ବାଦ ସଂସ୍ଥାର ଅବସ୍ଥା ବୁଝାପଡ଼ିବ। ରାଜ୍ୟରେ ପ୍ରଶାସନ କିଭଳି ନିଜର କ୍ରମବର୍ଦ୍ଧିଷ୍ଣୁ କ୍ଷମତାର ଅପବ୍ୟବହାର କରି ସାମ୍ବାଦିକର ମେରୁହାଡ଼ ଭାଙ୍ଗିବାକୁ ଉଦ୍ୟତ ତାହାର ଦୁଇଟି ଉଦାହରଣ ଦେଖନ୍ତୁ।
ପ୍ରଥମ ଘଟଣା: ସେତେବେଳେ ଦୈନିକ ସମ୍ବାଦପତ୍ର ‘ନିତିଦିନ’ର ଓ ବର୍ତ୍ତମାନ ‘ସକାଳ’ର ନୟାଗଡ଼ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡା ଖବର ସଂଗ୍ରହରେ ଥିବା ବେଳେ ସହର ଉପରେ ତାଙ୍କୁ ପୁଲିସ ମାଡ଼ ମାରିଥିଲା। ମାଡ଼ ଘଟଣାର ପୂର୍ବ ସପ୍ତାହରେ ଶ୍ରୀ ପଣ୍ଡା ପୁଲିସ ଅବହେଳାର ୩ଟି ଖବର ଲଗାତାର କରିଥିଲେ।
ଦ୍ବିତୀୟ ଘଟଣା: ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ ନିଜର ଅସୁସ୍ଥ ଶିଶୁକୁ ନେଇ ଡାକ୍ତରଖାନା ଯିବା ବାଟରେ ପୁଲିସ ତାଙ୍କ ପଥ ଅବରୋଧ କରିବା ସହ ସହର ଉପରେ ତାଙ୍କୁ ମାଡ଼ ମାରିଥିଲା। ଶ୍ରୀ ସ୍ବାଇଁ ମଧ୍ୟ ପୂର୍ବରୁ ପୁଲିସ ନିଷ୍କ୍ରିୟତା ଉପରେ କେତୋଟି ଖବର ଛାପିଥିବାର ପ୍ରମାଣ ମିଳେ।
ଏ ଦୁଇଜଣ କୌଣସି ଯାହିତାହି ସଂସ୍ଥାର ପ୍ରତିନିଧି ନଥିଲେ- ଜଣେ ହେଉଛନ୍ତି ରାଜ୍ୟର ବିଶିଷ୍ଟ ଖଣିପତିଙ୍କ ଦ୍ବାରା ପରିଚାଳିତ ଖବରକାଗଜର ପ୍ରତିନିଧି ଓ ଅନ୍ୟଜଣେ ଶାସକଦଳର ପ୍ରସିଦ୍ଧ ଲୋକପ୍ରତିନିଧିଙ୍କ କାଗଜର ପ୍ରତିନିଧି। ଏସବୁ ସତ୍ତ୍ବେ ଯଦି ଏ ଦୁଇଜଣ ସାମ୍ବାଦିକ ବ୍ୟସ୍ତ ଓ ଲୋକାରଣ୍ୟ ସହର ମଧ୍ୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ଅପନ୍ତରା ଗାଁ ଅଞ୍ଚଳରେ ସାମ୍ବାଦିକତା କରୁଥିବା ପ୍ରତିନିଧିମାନଙ୍କ ଅବସ୍ଥା ଅନୁମେୟ।
୨୦୧୯ ନିର୍ବାଚନ ପୂର୍ବରୁ ସରକାର ସାମ୍ବାଦିକଙ୍କର ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ମୋ ଜାଣିବାରେ ବହୁ ସାମ୍ବାଦିକ ସେ ତାଲିକାରେ ନାହାନ୍ତି ଏବଂ ତାଲିକାରେ ଥିବା ଅନେକେ ମଧ୍ୟ ‘ସାମ୍ବାଦିକ’ ଶବ୍ଦର ବନାନ ଠିକରେ ଲେଖିବାକୁ ଅସମର୍ଥ। ଖବରକାଗଜ, ଟିଭି ଓ ଅଳ୍ପ କେତୋଟି ନ୍ୟୁଜ୍ ପୋର୍ଟାଲକୁ ଛାଡ଼ିଦେଲେ ଅନ୍ୟମାନେ ଏଯାଏଁ ସରକାରୀ ଖାତାରେ ଗଣମାଧ୍ୟମ ସଂସ୍ଥା ଭାବେ ସ୍ଥାନ ପାଇନାହାନ୍ତି। ବର୍ତ୍ତମାନ କରୋନା ସମୟରେ ଯଦି ସବୁଠାରୁ କିଏ ଅଧିକ ତତ୍ପରତାର ସହ କାର୍ଯ୍ୟ କରୁଥାଏ ଓ ଲୋକମାନେ ଯଦି କାହାକୁ ସବୁଠାରୁ ଅଧିକ ପଢ଼ୁଥାଆନ୍ତି ତାହା ହେଉଛି ନ୍ୟୁଜ୍ ପୋର୍ଟାଲ। କିନ୍ତୁ ସେମାନେ ସରକାରୀ କଳ ଦ୍ବାରା ଚିର ଅବହଳିତ। ନିକଟରେ ସରକାର ସେମାନଙ୍କୁ ବିଜ୍ଞାପନ ଦେବାକୁ କିଛି ନୀତି ନିର୍ଧାରଣ କରିଛନ୍ତି ଅବଶ୍ୟ। ସେଥିରେ ବ୍ୟାପକ ବିଲକ୍ଷଣ ରହିଛି, ଯାହା ଆଲୋଚନା କରିବା ପାଇଁ ଏବେ ଉଚିତ ଅବସର ନୁହେଁ।
ସରକାର ଯେ ସାମ୍ବାଦିକଙ୍କ ପାଇଁ କିଛି କରିନାହାନ୍ତି, ଏ କଥା ତ ଆମେ ଆଦୌ କହିବୁ ନାହିଁ। କିନ୍ତୁ ଆମ ଜାଣିବାରେ ବହୁ ଜଣାଶୁଣା ଓ କର୍ମଠ ସାମ୍ବାଦିକ ଏଯାଏଁ ସରକାରଙ୍କ ତଥାକଥିତ ତାଲିକାରେ ସ୍ଥାନ ପାଇନାହାନ୍ତି।
କିନ୍ତୁ ବ୍ୟବସ୍ଥାରେ ତ୍ରୁଟି ହେତୁ ବହୁ ସାମ୍ବାଦିକ ଏବେ ସରକାରଙ୍କ ପାଖରେ ସାମ୍ବାଦିକ ଭାବେ ସ୍ବୀକୃତ ନୁହନ୍ତି। ଏଣୁ ସରକାରଙ୍କ କେତୋଟି ପରାମର୍ଶ ଦେଉଛି, ଉଚିତ ମନେକଲେ ସରକାର ଏହାକୁ ଗ୍ରହଣ କରିପାରିବେ ଓ କାର୍ଯ୍ୟରେ ଲଗାଇବେ।
- ସାମ୍ବାଦିକମାନଙ୍କର ପୁନର୍ଚହ୍ନଟ ପ୍ରକ୍ରିୟା କରାଯାଉ।
- ଓ୍ବେବ୍ ପୋର୍ଟାଲ ସାମ୍ବାଦିକମାନଙ୍କୁ ସରକାରୀ ତାଲିକାରେ ସାମିଲ କରିବାର ବ୍ୟବସ୍ଥା କରାଯାଉ। ଏଥିପାଇଁ ଏକ ସ୍ବତନ୍ତ୍ର ସାମୟିକ ପ୍ରକଳ୍ପ କରାଯାଇ ତ୍ବରିତ ବେଗରେ ସେମାନଙ୍କୁ ଚିହ୍ନଟ କରାଯାଉ। ଅଗା-ବଗା-ଖଗାଙ୍କୁ ବାଦ ଦେବା ପାଇଁ ସରକାର ଓ୍ବେବ୍ ପୋର୍ଟାଲ ମାନଙ୍କ ନିମନ୍ତେ କିଛି ନୀତି ନିର୍ଧାରଣ କରିପାରିବେ। ପଞ୍ଜୀକୃତ ଅନୁଷ୍ଠାନର ପୋର୍ଟାଲ ସବୁକୁ ଆମାଜନ୍ ଆଲେକ୍ସା ଓ ଗୁଗୁଲ୍ ଆନାଲିଟିକ୍ସ ଆଧାରରେ ଯୋଗ୍ୟ-ଅଯୋଗ୍ୟ ଘୋଷଣା କରିପାରିବେ ସରକାର।
- ରାଜ୍ୟର ସବୁ ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରାଯାଉ।
- ୨୦୧୯ ପରେ ଗଠିତ ଗଣମାଧ୍ୟମ ସଂସ୍ଥାର (ଖବରକାଗଜ, ଟିଭି ଓ ପୋର୍ଟାଲ) ସାମ୍ବାଦିକମାନଙ୍କୁ ତାଲିକାଭୁକ୍ତ କରାଯାଉ।
- ସରକାର ଜିଲ୍ଲାଓ୍ବାରୀ ସାମ୍ବାଦିକଙ୍କର ତାଲିକା ସର୍ବସାଧାରଣେର ପ୍ରକାଶ କରନ୍ତୁ। (ସୂଚନା ଓ ଲୋକସମ୍ପର୍କ ବିଭାଗ ଓ୍ବେବ୍ସାଇଟ୍ରେ ଏ ତାଲିକାକୁ ପ୍ରଦର୍ଶିତ କରାଯାଇପାରିବ।)
- ଯେଉଁ ସାମ୍ବାଦିକମାନେ କୋଭିଡ୍ରେ ପ୍ରାଣ ହରାଇଛନ୍ତି, ସେମାନେ ସରକାରଙ୍କ ତଥାକଥିତ ତାଲିକାରେ ଥାଆନ୍ତୁ ବା ନଥା’ନ୍ତୁ ସେମାନଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦେବା ସହ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉ।
- ସରକାର କେଉଁ ପ୍ରକ୍ରିୟାରେ ସାମ୍ବାଦିକଙ୍କୁ ଚିହ୍ନଟ କରୁଛନ୍ତି ତାହା ଜଣାଇଦିଅନ୍ତୁ।