ଚର୍ଚ୍ଚାରେ ଦିନ ମଜୁରିଆଙ୍କ ସ୍ତ୍ରୀ, ବିଜେପି ଟିକେଟରୁ ହେଲେ ବିଧାୟିକା
ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନା ବାଉରୀଙ୍କ ତିନି ସନ୍ତାନ ରହିଛନ୍ତି। ତାଙ୍କ ପାଖରେ ୩୧ ହଜାର ୯୮୫ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀଙ୍କ ନାମକେ ୩୦ ହଜାର ୩୧୧ ଟଙ୍କାର ସମ୍ପତ୍ତି ରହିଛି। ଏହି ଦମ୍ପତିଙ୍କ ପାଖରେ ତିନୋଟି ଗାଈ ଓ ତିନୋଟି ଛେଳି ରହିଛି।
![](https://www.odishalink.com/wp-content/uploads/2021/05/bjp-mla-680x430.jpg)
କୋଲକାତା: ଫେଲ୍ ମାରିଲା ମୋଦୀ-ଶାହ-ନଡ୍ଡାଙ୍କ ରଣନୀତି। ନିଜ ଗଡ଼ ବଞ୍ଚେଇବାରେ ସଫଳ ହେଲେ ମମତା ବାନାର୍ଜୀ। ତୃତୀୟଥର ପଶ୍ଚିମବଙ୍ଗରେ ଶାସନ କରିବେ ଦିଦି। ହେଲେ ଦଳକୁ ହିଟ୍ କରିଥିବା ବେଳେ ଫ୍ଲପ୍ ହେଲେ ଦିଦି। ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଠିଆ ହୋଇଥିବା ଆସନରୁ ହାରି ଯେତିକି ଚର୍ଚ୍ଚାରେ ଅଛନ୍ତି ତାଠୁ ବେଶି ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ହେଉଛନ୍ତି ଚନ୍ଦନା ବାଉରୀ। ଯିଏକି ସଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିଏମସିର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି।
ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନା ବାଉରୀଙ୍କ ତିନି ସନ୍ତାନ ରହିଛନ୍ତି। ତାଙ୍କ ପାଖରେ ୩୧ ହଜାର ୯୮୫ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀଙ୍କ ନାମକେ ୩୦ ହଜାର ୩୧୧ ଟଙ୍କାର ସମ୍ପତ୍ତି ରହିଛି। ଏହି ଦମ୍ପତିଙ୍କ ପାଖରେ ତିନୋଟି ଗାଈ ଓ ତିନୋଟି ଛେଳି ରହିଛି।
ଗତ ମାର୍ଚ୍ଚରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପ୍ରାର୍ଥୀ ହେବାକୁ ସେ କେବେ ଚିନ୍ତା କରିନଥିଲେ। ହେଲେ ତାଙ୍କର ଶୁଭେଚ୍ଛୁ ମାନେ ପ୍ରାର୍ଥୀ ହେବାକୁ ଅନଲାଇନରେ ଆବେଦନ କରିଥିଲେ। ଆଉ ପରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା। ଆଉ ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ସେତେବେଳେ ଚନ୍ଦନା କହିଥିଲେ। ସୂଚନାଯୋଗ୍ୟ ସଲତୋରାର ଆସନ ଲଗାତର ଦ୍ୱିତୀୟ ଥର ପାଇଁ ଟିଏମସି ପାଖରେ ଥିଲା। ଏବେ କିନ୍ତୁ ଏହି ଆସନ ବିଜେପି ପାଖକୁ ଆସିଛି। ନିର୍ବାଚନ ବେଳେ ପ୍ରଚାର କରିବାକୁ ଚନ୍ଦନାଙ୍କ ପାଖରେ ସମ୍ୱଳ ନଥିବାରୁ ପ୍ରଚାର ପାଇଁ ବିଜେପି ଏକ କାର ଯୋଗାଇଥିଲା।