ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ପ୍ରିୟାପ୍ରୀତି

ଭୁବନେଶ୍ବର: ଗତବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କଲେ। କିନ୍ତୁ ସାମ୍ବାଦିକଙ୍କୁ ଟିକା ଦେବା ନେଇ ଚୋରାପୀରତିରେ ସାମାନ୍ୟ ଭଟ୍ଟା ପଡ଼ିନାହିଁ। ଗତକାଲି ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ତରବରରେ ଟିକାକରଣ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)।
ତେବେ ବିଏମ୍ସି ପକ୍ଷରୁ ଖୁବ୍ ସନ୍ତର୍ପଣରେ ଲୁଚାଛପାରେ ଏ ଟିକାକରଣ ପ୍ରକ୍ରିୟା ଚାଲୁ ପାଇଁ ଯୋଜନା ହୋଇଥିଲେ ହେଁ ତାହା ଫସର ଫାଟି ଯାଇଛି। ବିଏମ୍ସି କର୍ତୃପକ୍ଷଙ୍କ ପ୍ରିୟାପ୍ରୀତି ତୋଷଣ ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ମିଳିଥିବା ସୂଚନା ଅନୁସାରେ ବିଏମ୍ସି ପକ୍ଷରୁ କେତୋଟି ହ୍ବାଟ୍ସଆପ୍ ଗ୍ରୁପ୍ରେ ଏ ନେଇ ସୂଚନା ଦିଆଯାଇଥିଲା। ବିଏମ୍ସି ଅଧିକାରୀଙ୍କ ସହ ସୁସମ୍ପର୍କ ରଖିଥିବା କିଛି ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଗତକାଲିଠାରୁ ସୂଚନା ମିଳିଥିଲା।
ବିଏମ୍ସି ପକ୍ଷରୁ ରବିବାର ଦିନ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପ୍କୁ ଦୁଇପ୍ରକାର ବାର୍ତ୍ତା ପଠାଯାଇଥିଲା। ଗୋଟିଏ ବାର୍ତ୍ତାରେ ରବିବାର ରାତି ୧୧ଟା ୩୦ ସୁଦ୍ଧା ସାମ୍ବାଦିକଙ୍କ ତାଲିକା ପଠାଇବା ପାଇଁ ସଂପୃକ୍ତ ଗଣମାଧ୍ୟମ ଅନୁଷ୍ଠାନକୁ ଅନୁରୋଧ କରାଯାଇଥିଲା। ଅନ୍ୟପଟେ କଟକ ରୋଡ୍ସ୍ଥିତ ଯାତ୍ରୀନିବାସରେ ତତ୍କାଳ ପଞ୍ଜୀକରଣ (spot registration) ହେବ ବୋଲି ଆଉ ଗୋଟିଏ ବାର୍ତ୍ତା ଆସିଥିଲା। ଦିନକୁ ୧୦୦ ଜଣ ବା ତହିଁରୁ କିଛି ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଇପାରିବ ଓ ସଂଖ୍ୟା ୧୫୦ରୁ ଡେଇଁଲେ ବାକି ଲୋକଙ୍କୁ ପରଦିନକୁ ରଖାଯିବ ବୋଲି ଦୁଇଟି ଯାକ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି।
ଗତକାଲିଠାରୁ ଏ ଖବର ସାମ୍ବାଦିକ ଜଗତରେ କ୍ଷୀପ୍ର ବେଗରେ ଖେଳିଯାଇଥିଲା। କିଛି ସାମ୍ବାଦିକ ଏ ସୂଚନା ପାଇ ନିଜଆଡ଼ୁ ବିଏମ୍ସିକୁ ନାମ ତାଲିକା ପଠାଇଥିବା ବେଳେ ଆଉ କେତେ ଜଣ ତତ୍କାଳ ପଞ୍ଜିକରଣ ପାଇଁ ଆଜି ପୂର୍ବାହ୍ଣରେ ଯାତ୍ରୀନିବାସରେ ଧାଡ଼ି ଲଗାଇଥିଲେ। ତେବେ ସେଠାରେ କୌଣସି ତତ୍କାଳ ପଞ୍ଜିକରଣ ହେଉ ନଥିବାରୁ ଅନେକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ବିଏମ୍ସି ପକ୍ଷରୁ ଯେଉଁମାନଙ୍କ ନାମ ତାଲିକାଭୁକ୍ତ ହୋଇଛି କେବଳ ସେମାନଙ୍କୁ ଏଠାରେ ଟିକା ଦିଆଯିବ ବୋଲି ସଂପୃକ୍ତ ଅଧିକାରୀ ରୋକଠୋକ ଶୁଣାଇ ଦେଇଥିଲେ। ଅବଶ୍ୟ ସକାଳୁ ଅଳ୍ପ କେତେଜଣ ପଞ୍ଜିକରଣ ମାଧ୍ୟମରେ ମଧ୍ୟ ଟିକା ଦେଇଥିବା ସୂଚନା ମିଳିଛି।

ସରକାର ସାମ୍ବାଦିକ ତାଲିକା ପ୍ରସ୍ତୁତିରେ ପ୍ରିୟାପ୍ରୀତି ତୋଷଣ କରୁଥିବା ବେଳେ ଟିକା ଦେବା ପାଇଁ ମଧ୍ୟ ପାତରଅନ୍ତର କରୁଛନ୍ତି ବୋଲି ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଦୁଇଟି ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଲୁଚାଛପାରେ ଟିକା ଦେଇ ସମାଲୋଚନାର ଶରବ୍ୟ ହୋଇଥିବା ସରକାର ପୁଣି ସମାନ ନୀତି ଆପଣେଇବାକୁ ମସୁଧା ଚଳାଇଛନ୍ତି। ବିଏମ୍ସି ମୁକ୍ତ ଭାବରେ ସାମ୍ବାଦିକଙ୍କୁ ଟିକାକରଣ ଲାଗି ଆହ୍ବାନ ନ ଦେଇ କେଉଁ ଆଧାରରେ ଲୁଚାଛପାରେ ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଟିକାକରଣ ପାଇଁ ଡାକୁଛି ବୋଲି ସାମ୍ବାଦିକ ମହଲରେ ପ୍ରଶ୍ନ ଉଠୁଛି।
ଏ ନେଇ ଆମେ ବିଏମ୍ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲୁ। ଲୁଚାଛପାରେ କୌଣସି ବାର୍ତ୍ତା ଦିଆଯାଇନାହିଁ। ବରଂ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଟିକାକରଣ ବ୍ୟବସ୍ଥା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯାଇଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏ ନେଇ ଆମେ ସୂଚନା ଲୋକସମ୍ପର୍କ ବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଏଯାଏଁ କୌଣସି ମତାମତ ମିଳିପାରିନାହିଁ।
ଅନ୍ୟପଟେ ଭୁବନେଶ୍ବର ଯାତ୍ରୀନିବାସ ଠାରେ ଆଜି ପୂର୍ବାହ୍ଣରେ ତାଲିକା ଅନୁସାରେ ୧୪୬ ଜଣ ଓ ତତ୍କାଳ ପଞ୍ଜିକରଣ ମାଧ୍ୟମରେ ପାଖାପାଖି ଆଉ ୫୦ ଜଣ ସାମ୍ବାଦିକ ଟିକାଗ୍ରହଣ କରିଥିବା ସୂଚନା ମିଳିଛି।
ତେଣେ କେବଳ ଭୁବନେଶ୍ବର ସାମ୍ବାଦିକଙ୍କୁ କାହିଁକି, ସାରା ରାଜ୍ୟର ସାମ୍ବାଦିକଙ୍କୁ ତୁରନ୍ତ ଟିକାକରଣ କରାଯାଉ ବୋଲି ସାମାଜିକ ଗଣମାଧ୍ୟମରେ ଦାବି ଉଠିଛି।
ରାଜ୍ୟରେ କରୋନାର ପ୍ରଥମ ତରଙ୍ଗରେ ପ୍ରାୟ ୪୦ ଜଣ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଚଳିତ ଦ୍ବିତୀୟ ତରଙ୍ଗରେ ୧୬ ଜଣଙ୍କର ପ୍ରାଣହାନି ହେଲାଣି। ପ୍ରଥମ ବର୍ଷ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ସହ କରୋନାରେ ଦେହାନ୍ତ ହେଲେ ସାମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ବର୍ଷ ପୁଣିଥରେ ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକାଦେବେ ବୋଲି ସାମ୍ବାଦିକ ସମାଜ ଆଶା ବାନ୍ଧିଛନ୍ତି।