୨୭ ବର୍ଷର ବିବାହ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ପତ୍ନୀ ମେଲିଣ୍ଡା

ୱାଶିଂଟନ: ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ପରସ୍ପର ସହ ବିବାହ ସମ୍ପର୍କଚ୍ଛିନ୍ନ କରିଛନ୍ତି। ବିବାହର ଦୀର୍ଘ ୨୭ ବର୍ଷ ପରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ୧୯୮୭ ମସିହାରେ ମେଲିଣ୍ଡା ମାଇକ୍ରୋସଫ୍ଟ କମ୍ପାନୀରେ ଯୋଗଦେବା ବେଳେ ବିଲ ଗେଟ୍ସଙ୍କ ସହ ତାଙ୍କର ପରିଚୟ ହୋଇଥିଲା।
ପରେ ଏହି ପରିଚୟ ପ୍ରେମ ଓ ଶେଷରେ ବିବାହର ରୂପ ନେଇଥିଲା। ହେଲେ ଦୀର୍ଘ ୨୭ ବର୍ଷ ଏକାଠି ରହିବା ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଉଭୟଙ୍କର ୩ ସନ୍ତାନ ରହିଛନ୍ତି। ସମସ୍ତେ ମିଳିତ ଭାବେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ଚଳାଉଛନ୍ତି।
ଆଜି ଗେଟ୍ସ ଦମ୍ପତି ଟ୍ୱିଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ଚାଲିଥିବା ଚିନ୍ତନ ଓ ଅନେକ କାମ କରିବା ପରେ ଆମେ ଆମ ବାହାଘର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ। ବିଗତ ୨୭ ବର୍ଷ ଧରି ଆମେ ୩ ସନ୍ତାନର ଜନକ ହୋଇଛି। ଏହି ସମୟରେ ଆମେ ଏମିତି ଏକ ଫାଉଣ୍ଡେସନ ଗଠନ କରିଛୁ, ଯାହା ସମଗ୍ର ବିଶ୍ୱରେ ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ଜୀବନ ବିତାଇବାରେ ସହଯୋଗ କରୁଛି।
ଆମେ ବିଶ୍ୱାସର ସହ କହୁଛୁ ଯେ ଆମେ ଏକାଠି ଫାଉଣ୍ଡେସନ ପାଇଁ କାମ କରିବୁ। କିନ୍ତୁ ଆମେ ଦମ୍ପତି ଭାବେ ଭବିଷ୍ୟତ ଜୀବନରେ ଏକାଠି ଆଗକୁ ବଢ଼ିବୁ ବୋଲି ଆମର ବିଶ୍ୱାସ ନାହିଁ। ଆମେ ପରିବାରର ଗୋପନୀୟତା ଓ ସ୍ପେଶ ଆପଣମାନଙ୍କ ଠାରୁ ଚାହୁଁଛୁ। କାରଣ ଆମେ ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।”