ଲକଡାଉନର ୨ୟ ଦିନ, ଅମାନିଆଙ୍କ ଉପରେ କଡ଼ା ନଜର
ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ କଡାକଡି ଯାଞ୍ଚ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଛି ୧୪ ଦିନିଆ ଲକଡାଉନ୍ର। ଆଜି ଲକଡାଉନ୍ର ଦ୍ୱିତୀୟ ଦିନ। ରାଜ୍ୟ ସରକାର ଲକଡାଉନ୍କୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟାନ ସବୁ ଜିନିଷ ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ।
ଲକଡାଉନ୍ ସମୟରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ପନିପରିବା ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଇ ପାରିବେ। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ କଡାକଡି ଯାଞ୍ଚ ଚାଲିଛି। ଜିଲ୍ଳା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକରେ ଲକଡାଉନ୍ ନିୟମ ପାଳନ ପାଇଁ ପୋଲିସ ମୁତୟନ କରାଯାଇଛି। ଅମାନିଆଙ୍କ ଉପରେ କଡା ନଜର ରଖାଯାଉଛି।
ସେପଟେ, ଆନ୍ଧ୍ର ଷ୍ଟ୍ରେନକୁ ନେଇ ଚିନ୍ତା ବଢ଼ିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ରକୁ ସଂଯୋଗ କରିଥିବା ରାୟଗଡ଼ା ଜିଲ୍ଲାର ୧୩ଟି ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ସୀମାରେ ଗାଡ଼ିମୋଟରକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ପରିଚୟ ପତ୍ର ଥିଲେ ଜରୁରୀ ସେବାରେ ଥିବା ଲୋକଙ୍କୁ ଛଡ଼ାଯାଉଛି। ଯେଉଁମାନେ ଆନ୍ଧ୍ରପଟୁ ଆସୁଛନ୍ତି ସେମାନଙ୍କ ଟିକାକରଣ ଓ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।