ସତ ହେଲା ଆସାମ ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ, ପତ୍ନୀଙ୍କୁ କହିଥିଲେ….
‘ତୁମ ମା' କୁ କହି ଦେବ, ଦିନେ ମୁଁ ମୁଖ୍ୟମନ୍ତ୍ରୀ ହେବି’
ଗୌହାଟୀ: ୩୦ ବର୍ଷ ପରେ ସତ ହେଲା ଆସାମ ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ। ତୁମ ମାକୁ କହି ଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି। ଏବଂ ସତରେ ଦିନେ ମୁଖ୍ୟମନ୍ତ୍ରୀ ହେବା ଘଟଣା ଫିଲ୍ମର କାହାଣୀ ପରି ଲାଗୁଥିବା ବେଳେ ସତ ପାଲଟିଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ୨୨ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ତୁମ ମା’ କୁ କହି ଦେବ, ମୁଁ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି।
ଶର୍ମାଙ୍କ ପତ୍ନୀ ରିନିକି ଭୁୟନ କହିଛନ୍ତି, ସେ ୨୨ ବର୍ଷର ଥିଲେ ଏବଂ ମୋତେ ୧୭ ବର୍ଷ ବୟସ ହୋଇଥିଲା। ସେହି ସମୟରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା। କିଛି ଦିନ ବିତିବା ପରେ ମୁଁ ତାଙ୍କୁ ପଚାରିଥିଲି ଯେ, ମାଙ୍କୁ ତୁମ ବିଷୟରେ କଣ ଜଣାଇବି? ସେ ତୁରନ୍ତ ଉତ୍ତର ଦେଇଥିଲେ ଯେ, କହି ଦେବ ମୁଁ ଆସାମର ମୁଖ୍ୟମନ୍ତ୍ରୀ ହେବି। ମୁଁ ଏହା ଶୁଣି ଚକିତ ହୋଇ ଯାଇଥିଲି।
ଯେବେ ଆମର ବିବାହ ହେଲା, ସେହି ସମୟରେ ସେ ବିଧାୟକ ଥିଲେ। ଏହା ପରେ ସେ ମନ୍ତ୍ରୀ ହେଲେ ପୁଣି ରାଜନୀତିରେ ଆଗକୁ ବଢି ଚାଲିଲେ। ମାତ୍ର ଆଜି ମୁଖ୍ୟମନ୍ତ୍ରୀ ପଦରେ ସେ ଶପଥ ନେଉଥିବା ଦେଖି ନିଜକୁ ବିଶ୍ଵାସ କରିପାରିଲି ନାହିଁ।
ସେ ଆହୁରି କହିଛନ୍ତି, ତାଙ୍କ ସ୍ଵାମୀ କଲେଜ୍ ସମୟରୁ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଦୃଢ ପ୍ରତିବଦ୍ଧ ଥିଲେ। ହିମନ୍ତ ଛାତ୍ର ଜୀବନରୁ ହିଁ ନିଜର ଲକ୍ଷ୍ୟକୁ ନେଇ ଗମ୍ଭୀର ଥିଲେ ଏବଂ ଜାଣିଥିଲେ ଯେ, ଭବିଷ୍ୟତରେ ତାଙ୍କୁ କଣ ହେବାର ଅଛି। ଆଜି ୩୦ ବର୍ଷ ପରେ ତାଙ୍କର ଏହି କଥା ବାସ୍ତବର ରୂପ ନେଇଛି ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହିମନ୍ତଙ୍କ ପତ୍ନୀ ଜଣେ ସାମ୍ବାଦିକା ଏବଂ ଉଭୟଙ୍କ ଦୁଇଟି ସନ୍ତାନ ଅଛନ୍ତି। ଜଣେ ହେଲେ ୧୯ ବର୍ଷୀୟ ନନ୍ଦିଲ ବିଶ୍ଵ ଶର୍ମା ଏବଂ ଆଉ ଜଣେ ୧୭ ବର୍ଷୀୟା ସୁକନ୍ୟା ଶର୍ମା।