ଓଡ଼ିଶାର ଅନନ୍ୟ ସଂସ୍କୃତ କବି ଜୟଦେବ
କୋଣାର୍କ ନିକଟ 'କୁର୍ମପଟକ' ଠାରେ ଜୟଦେବ ସଂସ୍କୃତ ଶିକ୍ଷା ସମାପ୍ତ କରି ପୁରୀ ଆସିଥିଲେ। ଏଠାରେ ଜଣେ ମନ୍ଦିର ନର୍ତ୍ତକୀ 'ପଦ୍ମାବତୀ'ଙ୍କୁ ବିବାହ କରି ଜଗନ୍ନାଥ ଭକ୍ତିରେ ତଲ୍ଲୀନ ହୋଇ ଏହିଠାରେ ହିଁ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ ଜୟଦେବ।

ଭୁବନେଶ୍ବର: ଓଡ଼ିଶୀ ସଂଗୀତ ଶୈଳୀରେ ରଚିତ ସଂସ୍କୃତ କାବ୍ୟଗ୍ରନ୍ଥ ଗୀତଗୋବିନ୍ଦ ପାଇଁ ବିଶ୍ବପ୍ରସିଦ୍ଧ କବି ଜୟଦେବ ଆଜିକୁ ପ୍ରାୟ ୮ ଶତାବ୍ଦୀ ପୂର୍ବେ ୧୧୭୦ ମସିହା ଅକ୍ଷୟ ତୃତୀୟା ତିଥିରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦୁଲି ଠାରେ ବୋଲି ସର୍ବସ୍ବୀକୃତ ହୋଇଥିଲେ ହେଁ ସମାଜ ନାମରେ ପଶ୍ଚିମବଙ୍ଗ ଓ ବିହାରରେ ଥିବା ଦୁଇଟି ଗ୍ରାମରେ ତାଙ୍କର ଜନ୍ମ ବୋଲି ଉକ୍ତ ରାଜ୍ୟର କିଛି ବୁଦ୍ଧିଜୀବୀ ମନେକରନ୍ତି।
ଜୟଦେବଙ୍କର ପିତା ଥିଲେ ଭୋଜ ଦେବ ଓ ମାତା ବାମାଦେବୀ। କୋଣାର୍କ ନିକଟ ‘କୁର୍ମପଟକ’ ଠାରେ ଜୟଦେବ ସଂସ୍କୃତ ଶିକ୍ଷା ସମାପ୍ତ କରି ପୁରୀ ଆସିଥିଲେ। ଏଠାରେ ଜଣେ ମନ୍ଦିର ନର୍ତ୍ତକୀ ‘ପଦ୍ମାବତୀ’ଙ୍କୁ ବିବାହ କରି ଜଗନ୍ନାଥ ଭକ୍ତିରେ ତଲ୍ଲୀନ ହୋଇ ଏହିଠାରେ ହିଁ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ ଜୟଦେବ।
ସେ ତାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା। ଗୀତ ଗୋବିନ୍ଦରେ ହରି(କୃଷ୍ଣ) ଓ ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁଥିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଛନ୍ତି। ସଂସ୍କୃତରେ ରଚିତ ଏହି କାବ୍ୟକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ। ଏହି ଗ୍ରନ୍ଥର କାବ୍ୟର ଗାୟନରେ ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷିତ ହୋଇଥାଏ। ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ।
ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ। ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡ଼ିଛି। କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି। ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି। ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ପାଠ କରି ଶୁଣାଯିବାର ପରମ୍ପରା ରହିଛି।
ଓଡ଼ିଶାର କବି ଜୟଦେବଙ୍କ ଗୀତଗୋବିନ୍ଦ ଅଧିକାଂଶ ଆଧୁନିକ ଭାରତୀୟ ଭାଷା ଏବଂ ଅନେକ ୟୁରୋପୀୟ ଭାଷାରେ ମଧ୍ୟ ଅନୂଦିତ ହୋଇଛି। ୧୭୯୨ ମସିହାରେ ଜର୍ମାନ କବି ଫ୍ରିଡ୍ରିକ୍ ରୁକର୍ଟଙ୍କର ଏକ ପଦ ଅନୁବାଦ ୧୮୨୯ ମସିହାରେ ଆରମ୍ଭ ହୋଇଥିଲା ଏବଂ ବୋନ୍ ୧୮୩୭ ମସିହାରେ ସି. ଲାସେନଙ୍କ ସମ୍ପାଦିତ ସଂସ୍କୃତ ଏବଂ ଲାଟିନ୍ ଅନୁବାଦ ଅନୁଯାୟୀ ସଂଶୋଧିତ ହୋଇଥିଲା। ପ୍ୟାରିସର ଗୁଇମେଟ ସଂଗ୍ରହାଳୟରେ ଦେବନାଗରୀ ଲିପିରେ ଏହାର ଆଉ ଏକ ପାଣ୍ଡୁଲିପି ରହିଛି।
ଗୀତଗୋବିନ୍ଦର ପଦାବଳୀ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ବୋଲି ଗ୍ରହଣ କରାଯାଏ। ବଡ଼ସିଂହାର ବେଶ ସମୟରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ପାଠ କରାଯାଏ। ଏହା ବ୍ୟତୀତ ଦେବଦାସୀ ନୃତ୍ୟ ସମୟରେ ମଧ୍ୟ ଗୀତଗୋବିନ୍ଦ ଗାନ କରାଯାଉଥିଲା। ଶ୍ରୀ ମନ୍ଦିରରେ ନୂତନ ସେବକ ନିଯୁକ୍ତି ସମୟରେ ସେବକମାନଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଭେଟି ଦିଆଯିବାର ପ୍ରଥା ରହିଛି। ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଶ୍ରୀ ଜଗନ୍ନାଥଙ୍କ ସେବାରେ ରହିଛି; ଏହା ମୁଖ୍ୟତଃ ବଡ଼ସିଂହାର ବେଶରେ ଲାଗି ହୁଏ। ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଏକଦା ଏକ ବାଳିକା ବାଇଗଣ କିଆରିରେ ବାଇଗଣ ତୋଳିବା ସମୟରେ ଗୀତଗୋବିନ୍ଦ ଗାଉଥିଲା। ଶ୍ରୀ ଜଗନ୍ନାଥଙ୍କର ଏହି ପଦାବଳୀ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେ ସେହି ବାଳିକା ପଛରେ ବୁଲୁଥିଲେ। ବାଇଗଣ କଣ୍ଟା ଲାଗି ପ୍ରଭୁଙ୍କ ଖଣ୍ଡୁଆ ପାଟ ଚିରି ଗଲା । ଏକଥା ପ୍ରଘଟ ହେବା ପରେ ବଡ଼ପଣ୍ଡାଙ୍କୁ ଶ୍ରୀ ମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ଗାନ ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ହୋଇଥିଲା।
ଶ୍ରୀ ଗୀତଗୋବିନ୍ଦ କାବ୍ୟ ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ସମ୍ପଦ ମଧ୍ୟରୁ ଶୀର୍ଷସ୍ଥାନୀୟ ଅଟେ। ଜୟଦେବ ଗୀତଗୋବିନ୍ଦର ପ୍ରତି ଅଷ୍ଟପଦୀରେ ଓଡ଼ିଶୀ ରାଗ ଓ ତାଳ ଅନୁସାରେ ଗାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାବ୍ୟରେ ମାଳବ, ଗୁର୍ଜରୀ, ବସନ୍ତ, ରାମକରୀ, ମାଳବଗୌଡ, ଗୁଣ୍ଡକେରୀ, ଆଦି ରାଗ ବ୍ୟବହୃତ ହୋଇଛି। ରୂପକ, ଏକତାଳୀ, ଅଷ୍ଟତାଳୀ ପ୍ରଭୃତି ତାଳର ବ୍ୟବହାର ମଧ୍ୟ ପରିଲକ୍ଷିତ ହୁଏ। ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଭାରତର ଉତ୍ତର ଓ ଦକ୍ଷିଣରେ ପ୍ରଚଳିତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ସ୍ୱତନ୍ତ୍ର। ଗୀତଗୋବିନ୍ଦରେ ବ୍ୟବହୃତ ରାଗ ଓ ତାଳର ବ୍ୟବହାର ବର୍ତ୍ତମାନ ମଧ୍ୟ ଓଡ଼ିଶୀ ସଙ୍ଗୀତରେ ହୁଏ। ଗୀତଗୋବିନ୍ଦ ଏକ ଗୀତିକାବ୍ୟ ଏବଂ ଏହାର ପ୍ରତି ଅଷ୍ଟପଦୀକୁ ଗୀତ କୁହାଯାଏ।
ଜୟଦେବଙ୍କର ଜନ୍ମ ଓଡ଼ିଶାରେ, ଏଥିରେ ଦ୍ବିମତ ନାହିଁ। ବେଙ୍ଗଲର ରାଜା ଲକ୍ଷ୍ମଣ ସେଣଙ୍କ ଦରବାରରେ ଜୟଦେବ ନାମରେ ଆଉ ଜଣେ କବି ଥିଲେ ହେଁ କିଛି ବେଙ୍ଗଲି ବିଦ୍ବାନ ଭ୍ରମରେ ଗୀତଗୋବିନ୍ଦର କବି ଜୟଦେବଙ୍କୁ ବଙ୍ଗାଳି ବୋଲି ଧରି ନେଇଛନ୍ତି। ଅବଶ୍ୟ ପରେ ଅନେକ ବଙ୍ଗାଳୀ ବିଦ୍ବାନ ସ୍ବୀକାର କରିଛନ୍ତି ଯେ ଜୟଦେବଙ୍କ ଜନ୍ମ ଓଡ଼ିଶାରେ।
ଜୟଦେବଙ୍କ ଗ୍ରାମ କେନ୍ଦୁଲିକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ମାନ୍ୟତା ମିଳିଛି। ତାଙ୍କ ସ୍ମୃତିରେ କେନ୍ଦୁଲି ଓ ଭୁବନେଶ୍ବର ଠାରେ ଦୁଇଟି ପ୍ରମୋଦ ଉଦ୍ୟାନ ସ୍ଥାପିତ ହୋଇଥିବା ବେଳେ ରାଜଧାନୀର ପ୍ରମୁକ ସଭାସ୍ଥଳ ଓ ସୂଚନା ଗୃହକୁ ମଧ୍ୟ ଜୟଦେବଙ୍କ ନାମରେ ନାମିତ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦତ୍ତ ଓଡ଼ିଆ ସିନେମାର ସର୍ବୋଚ୍ଚ ପୁରସ୍କାର ମଧ୍ୟ ଜୟଦେବଙ୍କ ନାମରେ ନାମିତ କରାଯାଇଛି।
ଆଜି ଓଡ଼ିଶାରେ କୃଷି ଅନୁକୂଳର ଶୁଭ ଦିନରେ ଭକ୍ତି ସାହିତ୍ୟର ଅନନ୍ୟ ଶିଖର ପୁରୁଷ ଓଡ଼ିଶାର ଗୌରବ କବି ଶ୍ରୀ ଜୟଦେବଙ୍କୁ ଜନ୍ମଦିନରେ ଶ୍ରଦ୍ଧା ଓ ପ୍ରଣାମ।