ଉଦାହରଣ: ବାସଭବନକୁ କୋଭିଡ୍ ହସ୍ପିଟାଲ କଲେ କର୍ଣ୍ଣାଟକର ୨ ମନ୍ତ୍ରୀ
ରାଜ୍ୟରେ ରୋଗୀଙ୍କ ପାଇଁ ଡାକ୍ତରଖାନା ଏକ ବଡ଼ ସଂକଟ ହୋଇ ଉଭା ହୋଇଥିବା ବେଳେ ହୋଟେଲଗୁଡ଼ିକୁ ଅସ୍ଥାୟୀ ଡାକ୍ତରଖାନା କରାଯାଉ ବୋଲି ବୋମାଇ କିଛିଦିନ ତଳେ ପ୍ରସ୍ତାବ ଦେଇଥିଲେ। ପରେ ସେ ନିଜେ ନିଜ ଘରେ କୋଭିଡ୍ କେୟାର୍ ସେଣ୍ଟର ଖୋଲିବା ପାଇଁ ଅନୁଭତି ଦେଇଥିବା ବେଳେ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସଭାଡ଼ି।

ବେଙ୍ଗାଲୁରୁ: ଦେଶରେ କୋଭିଡ୍ ସଂକଟ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଏକ ବିରଳ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ବାସବରାଜ ବୋମାଇ। ଏକ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ସେ ନିଜ ଘରକୁ ଏକ ଏନ୍ଜିଓ ହାତକୁ ଟେକି ଦେଇଛନ୍ତି। ଅନୁରୂପ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଭାଡ଼ି।
କର୍ଣ୍ଣାଟକ ଏବେ ଦେଶର ଦ୍ବିତୀୟ ସର୍ବାଧିକ କୋଭିଡ୍-କ୍ଷତିଗ୍ରସ୍ଥ ରାଜ୍ୟ। ରାଜ୍ୟରେ ରୋଗୀଙ୍କ ପାଇଁ ଡାକ୍ତରଖାନା ଏକ ବଡ଼ ସଂକଟ ହୋଇ ଉଭା ହୋଇଥିବା ବେଳେ ହୋଟେଲଗୁଡ଼ିକୁ ଅସ୍ଥାୟୀ ଡାକ୍ତରଖାନା କରାଯାଉ ବୋଲି ବୋମାଇ କିଛିଦିନ ତଳେ ପ୍ରସ୍ତାବ ଦେଇଥିଲେ। ପରେ ସେ ନିଜେ ନିଜ ଘରେ କୋଭିଡ୍ କେୟାର୍ ସେଣ୍ଟର ଖୋଲିବା ପାଇଁ ଅନୁଭତି ଦେଇଥିବା ବେଳେ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସଭାଡ଼ି।
ବୋମାଇଙ୍କ ନିର୍ବାଚନ ମଣ୍ଡଳୀ ସିଗାଓଁରେ ନିଜ ଘରକୁ ସେ କୋଭିଡ୍ କେୟାର୍ ସେଣ୍ଡର ପାଇଁ ଖୋଲି ଦେଇଛନ୍ତି। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲାଯାଇଛି। ଅତ୍ୟଧିକ ଗୁରୁତର ନଥିବା ରୋଗୀମାନେ ଏଠାରେ ଚିକିତ୍ସିତ ହୋଇପାରିବେ। ଏଠାରେ ଆଇସିୟୁ ବେଡ୍ ନଥିଲେ ବି ଅକ୍ସିଜେନ୍ ଓ ଅନ୍ୟାନ୍ୟ ସାଧାରଣ କୋଭିଡ୍ ଚିକିତ୍ସା ସୁବିଧା ଉପଲବ୍ଧ ଅଛି।
ବୋମାଇଙ୍କ ପରେ ଆଉ ପାଦେ ଆଗେଇଯାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଭାଡ଼ି। ତାଙ୍କ ନିର୍ବାଚନ ମଣ୍ଡଳୀ ଅଥାନିରେ ନିଜ ଘରକୁ ସେ ଏକ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର ଖୋଲିବାକୁ ଅନୁମତି ଦେଇଛନ୍ତି। ଏତଦ୍ ଭିନ୍ନ ସେ ଏହି ଡାକ୍ତରଖାନା ପାଇଁ ବ୍ୟକ୍ତିଗତ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।