ବାତ୍ୟାର ରୂପନେଲା ‘ତଉକ୍ତେ’, ଗୁଜୁରାଟ ଗଲା NDRF ଟିମ୍
![](https://www.odishalink.com/wp-content/uploads/2021/05/cyclone.jpg)
ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଉପରେ ଥିବା ସାମୁଦ୍ରିକ ଅବପାତ ‘ତଉକ୍ତେ’ ଆଜି ସକାଳେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ବାତ୍ୟା ‘ତଉକ୍ତେ’ ପାଇଁ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ ସତର୍କ କରାଯାଇଛି।
ଆସନ୍ତା ୧୭ ତାରିଖରେ ତାଉକ୍ତେ ଗୁଜୁରାଟର ମାଙ୍ଗରୋଲ ନିକଟରେ ଭୂମି ସ୍ପର୍ଶ କରିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟା ପ୍ରତି ୧୭୫ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରଶାସନ ପକ୍ଷରୁ ମାଙ୍ଗରୋଲ, ବେରାବଲ, ପୋରବନ୍ଦର, କଛ, ଦ୍ୱାରିକା ଆଦି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଆଲର୍ଟ ଜାରି କରିଦିଆଯାଇଛି।ଘୂର୍ଣ୍ଣିବଳୟ ପାଇଁ ସମୁଦ୍ର ମଧ୍ୟକୁ ମାଛ ଧରାଳିଙ୍କୁ ଯିବାକୁ ବାରଣ କରାଯାଇଛି । ପୋରବନ୍ଦରରେ କୋଷ୍ଟ ଗାର୍ଡ ହେଲିକପ୍ଟର ଦ୍ୱାରା ସାଇରନ ମାଧ୍ୟମରେ ଲୋକଙ୍କୁ ଚେତାବନୀ ଦିଆଯାଇଛି ।
ବାତ୍ୟା ‘ତଉକ୍ତେ’ ପାଇଁ ଭାରତର ପଶ୍ଚିମ ଉପକୂଳରେ ‘ତୌତେ’ ସ୍ଥଳଭାଗରେ ପ୍ରବେଶ କରିବାକୁ ଥିବାରୁ ରାଜ୍ୟ ପ୍ରଶାସନକୁ ସହଯୋଗ କରିବ ବୋଲି ଭାରତୀୟ ନୌସେନା ପ୍ରତିଶ୍ରୁତି ଦେଇଛି। ଟୁଇଟ୍ କରି ନୌସେନାର ମୁଖପାତ୍ର କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ତୌତେ’ ଭାରତର ପଶ୍ଚିମ ଉପକୂଳ ଦେଇ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟ ପ୍ରଶାସନକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଭାରତୀୟ ନୌସେନାର ଜାହାଜ, ବିମାନ, ହେଲିକପ୍ଟର୍, ‘ଡାଇଭିଙ୍ଗ୍ ଆଣ୍ଡ୍ ଡିଜାଷ୍ଟର୍ ରିଲିଫ୍ ଟିମ୍’ ସଜାଗ ଅଛନ୍ତି।
ସାମୁଦ୍ରିକ ବାତ୍ୟା ‘ତୌତେ’ର ନାମକରଣ କରିଛି ମିଆଁମାର। ବର୍ମୀୟ ଭାଷାରେ ‘ତୌତେ’ର ଅର୍ଥ ଏକ ଜାତୀୟ ଝିଟିପିଟି।