କର୍ଣ୍ଣାଟକ: ଟିକା ପାଇଁ ୧୦୦ କୋଟି ଦେବ କଂଗ୍ରେସ!

ବେଙ୍ଗାଲୁରୁ: ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ର ସରକାର କର୍ଣ୍ଣାଟକ ଜନତାଙ୍କୁ ଟିକା ଦେବାରେ ବିଫଳ ହୋଇଥିବା ଦର୍ଶାଇ ଏ ଦିଗରେ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ। ଦଳ ସିଧାସଳଖ ଟିକା କିଣି ରାଜ୍ୟବାସୀଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ଅନୁମତି ମାଗିଛି। ଏଥିପାଇଁ ଦଳ ୧୦୦ କୋଟି ଟଙ୍କାର ପୁଞ୍ଜି ଏକାଠି କରୁଛି।
କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାର ରାଜ୍ୟବାସୀଙ୍କୁ ଟିକା ଦେବାରେ ବିଫଳ ହୋଇଛନ୍ତି ବୋଲି ଶିବକୁମାର କହିଛନ୍ତି।
ଶିବକୁମାର କହିଛନ୍ତି,
ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି, ଏଥିରେ ରାଜନୀତି ପୂରାନ୍ତୁନାହିଁ। ଆତ୍ମନିର୍ଭର ଭାରତ ଆହ୍ବାନକୁ ସମ୍ମାନ ଦେଇ କଂଗ୍ରେସକୁ ସିଧାସଳଖ ଟିକା କିଣିବାକୁ ସରକାର ଅନୁମତି ଦିଅନ୍ତୁ।
ସେ କହିଛନ୍ତି ଯେ କଂଗ୍ରେସ ଏଥିପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରୁଛି। ଦଳୀୟ ପାଣ୍ଠିରୁ ୧୦ କୋଟି ଟଙ୍କା ଦିଆଯିବାକୁ ଥିବାବେଳେ ବାକି ୯୦ କୋଟି ଟଙ୍କା ସାଂସଦ ଓ ବିଧାୟକଙ୍କ ହାତପାଣ୍ଠିରୁ ଆସିବ। କଂଗ୍ରେସ ସାଂସଦ ଓ ବିଧାୟକଙ୍କ ହାତପାଣ୍ଠିକୁ ଏ ମହତ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ଶିବକୁମାର ଅନୁରୋଧ କରିଛନ୍ତି।