ଟ୍ରମ୍ପ୍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପ୍ରକଳ୍ପ ରଦ୍ଦ କଲେ ବାଇଡେନ୍
'ନାସନାଲ ଗାର୍ଡେନ୍ ଅଫ୍ ଆମେରିକାନ୍ ହିରୋଜ୍' ନାମରେ ନିର୍ମାଣ ହେବାକୁ ଥିବା ଏହି ପ୍ରତିମୂର୍ତ୍ତି ପ୍ରକଳ୍ପ ପାଇଁ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ଏକ ଟାସ୍କଫୋର୍ସ ଗଠନ କରିଥିଲେ।

ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି।
‘ନାସନାଲ ଗାର୍ଡେନ୍ ଅଫ୍ ଆମେରିକାନ୍ ହିରୋଜ୍’ ନାମରେ ନିର୍ମାଣ ହେବାକୁ ଥିବା ଏହି ପ୍ରତିମୂର୍ତ୍ତି ପ୍ରକଳ୍ପ ପାଇଁ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ଏକ ଟାସ୍କଫୋର୍ସ ଗଠନ କରିଥିଲେ। ଏହି ପାର୍କରେ ଆମେରିକାର କିଛି ପ୍ରସିଦ୍ଧ ରାଷ୍ଟ୍ରପତିଙ୍କ ସମେତ ପ୍ରସିଦ୍ଧ କ୍ରୀଡ଼ାବିତ ଓ ପପ୍ଷ୍ଟାରଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥାଆନ୍ତା। ଏହି ପ୍ରକଳ୍ପ ପାଇଁ ଟ୍ରମ୍ପ ନିଜେ ତାଲିକା ପ୍ରସ୍ତୁତ କରିଥିଲେ। ଉଦ୍ୟାନରେ କାହାର ପ୍ରତିମୂର୍ତ୍ତି ରହିବ ସେ ସ୍ଥିର କରି ସାରିଥିଲେ। ତେବେ ଏଥିପାଇଁ ଆବଶ୍ୟକ ବ୍ୟୟ କଂଗ୍ରେସ ଅନୁମୋଦିତ ହୋଇନଥିବା ବେଳେ ସ୍ଥାନ ମଧ୍ୟ ଚୟନ ହୋଇନଥିଲା।
ତେବେ ଆଇଡେନ୍ ପ୍ରଶାସନ ଟ୍ରମ୍ପଙ୍କର ଏହି ସ୍ବପ୍ନର ପ୍ରକଳ୍ପକୁ ଭାଙ୍ଗି ଦେଇଛନ୍ତି। ଏଭଳି କୌଣସି ପ୍ରତିମୂର୍ତ୍ତି ଉଦ୍ୟାନ ନିର୍ମାଣ ହେବନାହିଁ ବୋଲି ବାଇଡେନ୍ ନିଷ୍ପତ୍ତି ନେଇଛନ୍ତି। ଏହା ଭିନ୍ନ ଟ୍ରମ୍ପଙ୍କ ଆଉ କିଛି ନିଷ୍ପତ୍ତି ଓ କାର୍ଯ୍ୟକ୍ରମକୁ ମଧ୍ୟ ବାଇଡେନ୍ ରଦ୍ଦ କରିଛନ୍ତି।
କୋଭିଡ୍ ଲଢ଼େଇରେ ବେଶ୍ ଆଗରେ ରହିଛି ଆମେରିକା। ନିକଟରେ ଦେଶରେ ମାସ୍କ ବ୍ୟବହାର ନିୟମ ପ୍ରତ୍ୟାହାର କରାଯାଇଥିବା ବେଳେ ଚଳିତ ବର୍ଷ ଜୁଲାଇ ୪ ତାରିଖ ସୁଦ୍ଧା ସମସ୍ତ ଦେଶବାସୀଙ୍କୁ (ନାବାଳକଙ୍କୁ ଛାଡ଼ି) ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବାଇଡେନ୍ ପ୍ରଶାସନ।