ମେଡିକାଲ ଅକ୍ସିଜେନ ଗାଡି ପାଇଁ ଟୋଲ ଟ୍ୟାକ୍ସ ଛାଡ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର।
ନିର୍ଦ୍ଦେଶ ମୁତାବକ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର କିମ୍ବା ସିଲିଣ୍ଡରରେ ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିରୁ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ଏହି ଆଦେଶ ଜୁଲାଇ ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ।
ବର୍ତ୍ତମାନ ସମୟରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର (ସିଭିସି)କୁ ମେଡିକାଲ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହାପୂର୍ବରୁ ମେ ୮ ରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜାରେ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରୁଥିବା ଯାନ ପାଇଁ ଉପଭୋକ୍ତା ଶୁଳ୍କ ଛାଡ କରିଥିଲା।