ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ୨୭ ଜଣଙ୍କ ଜୀବନ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଖୋର୍ଦ୍ଧା, କୋରାପୁଟରୁ ୪ ଜଣ ଲେଖାଏଁ, ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ବରଗଡ, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ, ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮୪୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦୯୪୩୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୫୬୫୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।