ବାତ୍ୟା ମୁକାବିଲା ପାଇଁ ସଚିବଙ୍କୁ ଜିଲ୍ଲା ଦାୟିତ୍ବ ଦେଲେ ସରକାର
ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ୟାସ୍। ଉପକୂଳ ମୁହାଁ ହେଉଛି ବାତ୍ୟା ୟାସ୍। ଏଥିପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବ ମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପୂର୍ବରର ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି।
କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ର। ସେହିପରି ଭଦ୍ରକ-ଭିଭି ଯାଦବ, ବାଲେଶ୍ବର-ବିଶାଳ ଦେବ ଓ ମୟୂରଭଞ୍ଜ ଦାୟିତ୍ବ ସୁରେଶ ବଶିଷ୍ଟଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର।
ସୂଚନାଥାଉକି, ଉପକୂଳ ମୁହାଁ ବାତ୍ୟା ୟାସ୍। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଲା ୟାସ୍। ଘଣ୍ଟା ପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ହେଉଛି ଅଗ୍ରସର। ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି।
ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ। ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ। ପବନ ଝଟ୍କା ୧୮୫ କିମି ହୋଇପାରେ।
ୟାସ୍ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି।