ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା, ଦିନକରେ ୩୩ ମୃତ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍ଡାଉନ୍, ସଟ୍ଡାଉନ୍ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦, ୯୩୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ହୋଇଥିବା ବେଳେ ଝାରସୁଗୁଡ଼ା, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି। ଅନ୍ୟପଟେ ଗଞ୍ଜାମ, କେନ୍ଦୁଝର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୧୪,୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧,୧୦,୫୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬,୦୧,୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନାରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ରହିଛି।