ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ଏରିଏଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରପଡାରେ ସେ ସ୍ଥିତି ଅନୁଧ୍ୟାନ କରିବେ। ୧୨.୩୦ରେ ସମୟରେ ମୁଖ୍ୟମନ୍ତ୍ରୀ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ବାହାରିବେ। ଏନେଇ ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର।
ଗତକାଲି ବାତ୍ୟା ସମୀକ୍ଷା ବେଳେ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଲରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
ବାତ୍ୟା ୟାସରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା। ବାଲେଶ୍ୱରରେ ସ୍ଥଳଭାଗ ଛୁଇଁଥିବାବେଳେ ବ୍ୟାପକ ପବନ ଏବଂ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଏବଂ ଗଛ ଭାଙ୍ଗିଛି। ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଗୁଆ ନିଷ୍ପତି ଏବଂ ତଳିଆ ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ଧନଜୀବନ କ୍ଷତି ଘଟିନାହିଁ। ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଆଜିର ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ।