ଚର୍ଚ୍ଚାରେ କମଲନାଥଙ୍କ ବିବାଦୀୟ ବୟାନ: ଭାରତ ମହାନ ନୁହେଁ, ବଦନାମ
ଏହି ବୟାନକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିବାଦୀୟ ବୟାନ ଚର୍ଚ୍ଚାରେ। ସେ ଭାରତକୁ ବଦନାମ କହିବା ସହ ମହାନ ନୁହେଁ ବୋଲି କହିଛନ୍ତି। ଏହି ବୟାନକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି।
ସୂଚନା ମୁତାବକ, ମଧ୍ୟପ୍ରଦେଶର ମହିରାକୁ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଯାଇଥିବା କମଲନାଥ କହିଛନ୍ତି, ଭାରତର କୋଭିଡ ସ୍ଥିତି ପୂରା ବିଶ୍ୱ ସମୀକ୍ଷା କରୁଛି। ମୋଦି ସରକାର ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ବିଦେଶରେ ରହୁଥିବା ଭାରତୀୟମାନେ ପାତରଅନ୍ତରର ଶିକାର ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
କମଲନାଥ କହିଛନ୍ତି, “ଆଜି ଭାରତ ମହାନ ନୁହେଁ। ପୂରା ବିଶ୍ୱର ଭାରତର କରୋନା ସ୍ଥିତି କେମିତି ବିଗୁଡ଼ିଛି, ତା’ ଉପରେ ନଜର ରଖିଛି। ଆଜି ଆମେରିକାରେ ଥିବା ଲୋକମାନେ ଭାରତୀୟ ଡ୍ରାଇଭର ଚଳାଉଥିବା ଗାଡ଼ିରେ ବସିବାକୁ ଭୟ କରୁଛନ୍ତି। ଭାରତ ପୂରା ବଦନାମ ହୋଇଯାଇଛି। ବ୍ଲାକ ଫଙ୍ଗସ କେବଳ ଭାରତର ଚିନ୍ତାର ବିଷୟ। ବିଶ୍ୱର ଆଉ କୌଣସି ଦେଶ ଏଥିପାଇଁ ଆଦୌ ଚିନ୍ତିତ ନାହାନ୍ତି।”
କମଲନାଥଙ୍କ ଏଭଳି ବୟାନକୁ ନେଇ ବିଜେପି ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବିଜେପି ନେତା ଭିଡି ଶର୍ମା କହିଛନ୍ତି, ମଧ୍ୟପ୍ରଦେଶରେ କ୍ଷମତା ହରାଇବା ପରେ କମଲନାଥଜୀଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଛି। ନଚେତ କୌଣସି ସୁସ୍ଥ ମାନସିକତାର ବ୍ୟକ୍ତି କେବେ ହେଲେ ବିଶ୍ୱର ସଙ୍କଟମୟ ପରିସ୍ଥିତିରେ ଏମିତି କାମ କହିନଥାଆନ୍ତେ।
ସେ ଏଭଳି ବୟାନ ଦେଇ ଭାରତକୁ ଅପମାନିତ କରିଛନ୍ତି। ସେ ଦେଶକୁ ଧୋକା ଦେଇଛନ୍ତି। ତାଙ୍କୁ ଲଜ୍ଜା ଲାଗିବା କଥା। ଆମେ ମନ୍ଦିର ଯିବା ବେଳେ ଏହି ମହାମାରୀରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କରୁଛୁ। କିନ୍ତୁ କମଲନାଥଜୀ ମନ୍ଦିର ଯାଇ ଦେଶକୁ ବଦନାମ କରିବା ଭଳି ବୟାନ ଦେଉଛନ୍ତି। ଏଭଳି କାମକୁ ଭଗବାନ ବି କ୍ଷମା କରିବେ ନାହିଁ। ଭାରତ ମାତାଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଦେଶବାସୀ ନିଶ୍ଚିତ ଜବାବ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି।