ଲାଗି ରହିିବ ଗୁଳୁଗୁଳି, ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ
ଆସନ୍ତା ୩୧ ସୁଦ୍ଧା କେରଳ ଉପକୂଳରେ ମୌସୁମୀ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି ।

ଭୁବନେଶ୍ବର: ଓଡ଼ିଶାରେ ସ୍ବାଭାବିକ ସମୟ କିମ୍ବା ତା’ଠାରୁ ଆଗୁଆ ଆସିପାରେ ମୌସୁମୀ। ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୟାସ୍ ବାତ୍ୟା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ବିଗାଡ଼ିବ ନାହିଁ। ଏଥିସହିତ ମୌସୁମୀ ପ୍ରବାହ ପାଇଁ ଏହା ଅନୁକୂଳ ପଥ ପ୍ରସ୍ତୁତ କରିଛି। ଅନୁମାନ କରାଯାଉଛି, ଆସନ୍ତା ୩୧ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ ବୋଲି ପ୍ରାକ୍ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦକ୍ଷିଣ-ପଶ୍ଚିମ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ କେନ୍ଦୟୀୟ ବଙ୍ଗୋପସାଗରରେ ମୌସୁମୀ ପ୍ରବେଶ କରିଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ଯୋଗୁ ମୌସୁମୀ ପ୍ରବାହ ବାଧାପ୍ରାପ୍ତ ହେବ ନାହିଁ । ଆସନ୍ତା ୩୧ ସୁଦ୍ଧା କେରଳ ଉପକୂଳରେ ମୌସୁମୀ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । କେରଳ ଛୁଇଁବାର ୧୦-୧୧ ଦିନ ଭିତରେ ମୌସୁମୀ ଓଡ଼ିଶାକୁ ଆସିଥାଏ ।ଏଥର ପାଗ ଅନୁକୂଳ ଥିବାରୁ ସ୍ୱାଭାବିକ ସମୟ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ। ଜୁନ୍ ୧୧ କିମ୍ବା ତା’ ପୂର୍ବରୁ ମଧ୍ୟ ଆସିପାରେ ବୋଲି ସେ କହିଛନ୍ତି।