ଚୀନରେ ‘ଆମେ ଦୁଇ, ଆମର ତିନି’ ଆଇନକୁ ମଞ୍ଜୁରୀ

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ କାରଣରୁ ଚିନ୍ତାରେ ଚୀନ ସରକାର। ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହିତ ପରିବାର ନିୟୋଜନ ନିୟମକୁ ମଧ୍ୟ କୋହଳ କରିଛନ୍ତି ଚୀନ ସରକାର। ସୋମବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ଚୀନରେ ଦମ୍ପତ୍ତି ମାନେ ୩ଟି ସନ୍ତାନ ଜନ୍ମ କରିପାରିବେ।
ଏହି ନୂଆ ପଲିସିକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଞ୍ଜୁରୀ ମିଳିଛି। ଫଳରେ ବହୁ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଟୁ-ଚାଇଲ୍ଡ ପଲିସି ଶେଷ ହେବାକୁ ଯାଉଛି।
ସୂଚନା ମୁତାବକ, ନିକଟରେ ଚୀନର ଜନସଂଖ୍ୟା ରିପୋର୍ଟରେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାରେ ଥିବା ନଜର ଆସିଥିଲା ବେଳେ ଶିଶୁ ଜନ୍ମ ସଂଖ୍ୟା ହ୍ରାସ ପାଇଛି। ଯାହା ଫଳରେ ଆଗାମୀ ଭବିଷ୍ୟତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ସରକାର। ଜନସଂଖ୍ୟା ଆକଳନ ଅନୁଯାୟୀ, ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ଚୀନ ଜନସଂଖ୍ୟା ବୃଦ୍ଧି ହାର ୦.୫୩% ଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ଏହି ହାର ୦.୫୭% ରହିଥିଲା।