୨୪ କିଲୋମିଟର ସାଇକେଲ ଚଳାଇ ଆସିଲେ ବର

ବିହାର: କରୋନା ମହାମାରୀର ପାଇଁ ଦେଶର ଅନେକ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ଏପରିକି କୌଣସି ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି। ତେବେ ଅଳ୍ପ କିଛି ସମ୍ପର୍କୀୟଙ୍କ ଗହଣରେ ବିନା ବ୍ୟାଣ୍ଡ ବାଜାରେ ବାହାଘର କରିବାକୁ ଅନୁମତି ରହିଛି। ଏହାରି ମଧ୍ୟରେ ଜଣେ ସଚେତନ ଯୁବକ କରୋନାର ସବୁ ନିୟମ ମାନି ବିନା ବରଯାତ୍ରୀରେ ୨୪ କିଲୋମିଟର ସାଇକେଲ ଚଳାଇ ବିବାହ ପାଇଁ ଯାଇଛନ୍ତି।
ସୂଚନା ମୁତାବକ, ଗତ ବର୍ଷ ଜାନୁଆରୀ ମାସରେ ବିହାର ଭାଗଲପୁର ନିବାସୀ ଅନିଲ ତାନ୍ତିଙ୍କ ପୁଅ ଗୌତମ କୁମାରଙ୍କ ବାହାଘର ବାଙ୍କା ଜିଲ୍ଲାର କୁମକୁମ କୁମାରୀଙ୍କ ସହ ସ୍ଥିର ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ପାଇଁ ସେତେବେଳେ ବାହାଘର ଘୁଞ୍ଚାଇବାକୁ ପଡିଥିଲା। ଚଳିତବର୍ଷ ମଧ୍ୟ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଯେତେବେଳେ ତାରିଖ ପଡିଥିଲା, ସେତେବେଳେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ଲକଡାଉନ୍ ମଧ୍ୟ ଲାଗୁ କରାଯାଇଥିଲା। ପୁଣି ଥରେ ବାହାଘର ଘୁଞ୍ଚିଥିଲା।
ଶେଷରେ କଟକଣା ଭିତରେ ବାହାହେବାକୁ ସ୍ଥିର କରିଥିଲେ ଗୌତମ। ଆଉ ଗତ ଶୁକ୍ରବାର ନିଜେ ଏକା ଏକା ସାଇକେଲ୍ ନେଇ ବାହାହବାକୁ ୨୪ କିଲୋମିଟର ଦୂର କନିଆ ଘରେ ପହଂଚିଥିଲେ ବର। ଆଉ ଝିଅ ଘର ଲୋକ ମଧ୍ୟ ରୀତିନୀତି ଅନୁଯାୟୀ, ବରର ସ୍ୱାଗତ କରିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ପଣ୍ଡିତଙ୍କୁ ଡକାଯାଇଥିଲା, ଆଉ ସେହି ଦିନ ହିଁ ରୀତିନୀତି ଅନୁଯାୟୀ ବାହାଘର ହୋଇଥିଲା। କରୋନାର ସବୁ ନିୟମ ମାନି କୁମକୁମଙ୍କୁ ସାତ ଜନମର ସାଥୀ କରିଛନ୍ତି ଗୌତମ।
ତେବେ ଗୌତମଙ୍କ ଏଭଳି ଉଦ୍ୟମ ବାବଦରେ ଜାଣି ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାରେ ପହଞ୍ଚିବା ସହ, ବରକନ୍ୟାଙ୍କୁ ଆଶୀର୍ବାଦ ଏବଂ ପୁରସ୍କାର ଦେଇଥିଲେ। ବର୍ତ୍ତମାନ ଆଖାପାଖ ଅଂଚଳରେ ଏହି ବାହାଘରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଗୌତମ ଏବଂ କୁମକୁମଙ୍କୁ ଲୋକେ ପ୍ରଂଶସା କରୁଛନ୍ତି।