ରାଜଧାନୀରେ ମହିଳାଙ୍କୁ ଛୁରାମାଡ଼ କରି ଲୁଟ୍ ଉଦ୍ୟମ

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଲକ୍ଡାଉନ କଟକଣା ଭିତରେ ମଧ୍ୟ ଲୁଟେରା ସକ୍ରିୟ। ପୁଲିସ ବିଭିନ୍ନ ଛକରେ ରହି କଡ଼ାକଡ଼ି ଯାଞ୍ଚ କରୁଥିଲେ ମଧ୍ୟ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ। ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ନୟାପଲ୍ଲୀ ଭିଆଇପି କଲୋନୀର ଜଣେ ମହିଳା ସକାଳୁ ପରିବା ଆଣିବା ପାଇଁ ଯାଉଥିଲେ। ଏହି ସମୟରେ ଏକ ଦୁର୍ବୃତ୍ତ ଏକ ଧାରୁଆ ଛୁରୀରେ ତାଙ୍କ ଉପରକୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ଜୋରରେ ଚିତ୍କାର କରିବାରୁ ଦୁର୍ବୃତ୍ତ ସେଠାରୁ ଦୌଡ଼ି ପଳାଇଛି। ତେବେ କିଛି ବାଟ ଯାଇ ସେ ପୁଣି ମହିଳାଙ୍କ ନିକଟକୁ ଦୌଡ଼ିଛି। ତେବେ ମହିଳା ଜଣଙ୍କ ରାସ୍ତାର ଅପରପାର୍ଶ୍ୱକୁ ଦୌଡ଼ି ପଳାଇଛନ୍ତି ଓ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଛି।
ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ଆଘାତ କରିଛି ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ନୟାପଲ୍ଲୀ ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନନ୍ତ କରୁଛି।