ଅଲପନ ଯିବେନି ଦିଲ୍ଲୀ, ବଦଳି ଆଦେଶର ପୁନର୍ବିଚାର କର: ମମତା
ମୁଁ ଆଶା କରୁଛି ଯେ କାଲାଇକୁଣ୍ଡା ବୈଠକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ଏହିପରି କିଛି ଅଛି ତେବେ ଏହା ଦୁର୍ଭାଗ୍ୟଜନକ

କୋଲକାତା: କେନ୍ଦ୍ରର ଡାକରା ସତ୍ତ୍ବେ ଦିଲ୍ଲୀ ଯିବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟ। ଅଲପନଙ୍କୁ ଦିଲ୍ଲୀ ଛାଡ଼ିବାକୁ ନାରାଜ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଅଲପନଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରିବେନି। ତେଣୁ କେନ୍ଦ୍ର ସରକାର ତାଙ୍କ ବଦଳି ଆଦେଶର ପୁନର୍ବିଚାର କରନ୍ତୁ ବୋଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ମମତା ବାନାର୍ଜୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, କିଛି ଦିନ ପୂର୍ବରୁ ଅଲପନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି କିନ୍ତୁ ଏବେ ହଠାତ୍ ତାଙ୍କୁ ଦିଲ୍ଲୀ ଡକାଯାଇଛି। ଦିଲ୍ଲୀ ଡାକିବାର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ। କେବଳ ଏତିକି ନୁହେଁ, ମମତା ଚିଠିରେ ପଚାରିଛନ୍ତି ଯେ ମେ ୨୮ରେ କାଲାଇକୁଣ୍ଡାରେ ଅନୁଷ୍ଠିତ ବୈଠକ ସହିତ ଏହି ନିଷ୍ପତ୍ତିର କିଛି ସମ୍ପର୍କ ଅଛି କି? ମୁଁ ଆଶା କରୁଛି ଯେ କାଲାଇକୁଣ୍ଡା ବୈଠକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ଏହିପରି କିଛି ଅଛି ତେବେ ଏହା ଦୁର୍ଭାଗ୍ୟଜନକ।
ମମତା ଚିଠିରେ ଲେଖିଛନ୍ତି ଯେ, ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସହିତ ପରାମର୍ଶ କରି ନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ଏବଂ ଅପ୍ରତ୍ୟାଶିତ ନିଷ୍ପତ୍ତି। କରୋନା ସଙ୍କଟ ଏବଂ ୟାସ ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗ ପାଇଁ ଏହା ଏକ କଷ୍ଟକର ସମୟ। ଏଭଳି ପରିସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳରେ ତିନିମାସ ବୃଦ୍ଧି ହେବାର ଏକ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପାରସ୍ପରିକ ପରାମର୍ଶ ପରେ ହିଁ ନିଆଯାଇଛି। ଅନ୍ୟପଟେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ସୂଚନାଯୋଗ୍ୟ, ଆଜି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀରେ ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗରେ ରିପୋର୍ଟ କରିବାକୁ କହିଥିଲା ଗୃହ ମନ୍ତ୍ରାଳୟ।