ଦିଲ୍ଲୀ ନପହଞ୍ଚିବାରୁ ଅଲପନଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ
୩ଦିନ ମଧ୍ୟରେ ଉତ୍ତର ନଦେଲେ ଏତଲା ରୁଜୁ ହୋଇପାରେ

କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର ଦିଲ୍ଲୀ ଡାକରା ସତ୍ତ୍ବେ ସେ ଗତକାଲି ଯୋଗ ଦେଇ ନଥିଲେ। ଏଥିସହ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ପରେ ଆଜି କେନ୍ଦ୍ର ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀରେ ମେ’ ୩୧ ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗରେ ରିପୋର୍ଟ କରିବାକୁ କହିଥିଲା ଗୃହ ମନ୍ତ୍ରାଳୟ। ମାତ୍ର ଦିଦି ତାଙ୍କୁ ଦିଲ୍ଲୀ ଛାଡ଼ିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଦେଇଥିଲେ। ନୂଆ ଦାୟିତ୍ୱ ମିଳିବା ପରେ ସୋମବାର ଦିଲ୍ଲୀରେ ରିପୋର୍ଟ କରିବାରେ ବିଫଳ ହୋଇଥିବାରୁ ଆଜି କେନ୍ଦ୍ର ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।ଏଥିସହ ତାଙ୍କୁ ୩ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି।
୩ଦିନ ମଧ୍ୟରେ ଉତ୍ତର ନଦେଲେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇପାରେ। ମଙ୍ଗଳବାର ଆଲାପନଙ୍କୁ କାର୍ମିକ ମନ୍ତ୍ରାଳୟକୁ ଡ଼କାଯାଇଥିବା ବେଳେ ସେ ସେଠାରେ ନପହଞ୍ଚିବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।