କିଭଳି ହେବ +୨ ପରୀକ୍ଷାର ମୂଲ୍ୟାୟନ? ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ
![](https://www.odishalink.com/wp-content/uploads/2021/06/WhatsApp-Image-2021-06-05-at-11.44.29-AM-750x430.jpeg)
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ ବୋଲି କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ଚଳିତବର୍ଷ ବାତିଲ କରିଥିଲେ। ଯାହାପରେ ଯୁକ୍ତ ୨ ମୂଲ୍ୟାୟନ କିଭଳି ହବେ ପିଲାଙ୍କ ଭବିଷ୍ୟତ କିପରି ହେବ ସେ ନେଇ ଅଭିଭାବକ ମାନେ ଆଲୋଚନା କରିଛୁନ୍ତି। ଏସବୁ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୂଲ୍ୟାୟନ କିଭଳି ହେବ ସେ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସେ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, +୨ ପରୀକ୍ଷା ମୂଲ୍ୟାୟନ ନେଇ ଆସନ୍ତା ୧୫ ଦିନ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ବିଶିଷ୍ଟ ଶିକ୍ଷାବିତ ଓ ସିଏଚଏସଇର କର୍ତ୍ତୃପକ୍ଷ ବିଶେଷଜ୍ଞ କମିଟିରେ ରହିବେ। ପରୀକ୍ଷା ମୂଲ୍ୟାୟନ ପାଇଁ ସମ୍ପୃକ୍ତ ଟିମ ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବେ। ବିଶେଷଜ୍ଞଙ୍କ ମତାମତ ଅନୁସାରେ ମୂଲ୍ୟାୟନ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏଥିସହିତ ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ ସମୟରେ ସିଏଚଏସଇ +୨ ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସୂଚନାଥାଉକି, ମହାମାରୀ କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର +୨ ପରୀକ୍ଷାକୁ ବାତିଲ କରିଦେଇଥିଲେ। +୨ ପରୀକ୍ଷା ବାତିଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । କରୋନା ପାଇଁ ପରୀକ୍ଷା ସମ୍ଭବ ହେଉନଥିବାରୁ +୨ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।