ଦୁଇଦିନ ଧରି ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ
![](https://www.odishalink.com/wp-content/uploads/2020/03/rape-a.jpg)
ବଡ଼ବିଲ: ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ। ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ ମହିଳାଙ୍କୁ ଜଣେ ନାବାଳକ ସମେତ ୩ ଜଣ ମିଶି ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ଅଭିଯୋଗ ମୁତାବକ, ଗତ ଗୁରୁବାର ଏହି ମହିଳା ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ବଡ଼ବିଲ ଗୁରୁଦ୍ୱାରା ଛକରୁ ଏକ ସ୍କୋର୍ପିଓରେ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଅଭିଯୁକ୍ତମାନେ ତାଙ୍କୁ ବଡ଼ବିଲ ଥାନା ଅନ୍ତର୍ଗତ ମୁଣ୍ଡାନାଲ ନିକଟ କାଜୁ ଜଙ୍ଗଲରେ ରଖି ଏକାଧିକ ବାର ଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ପୀଡିତା ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ଥାନାରେ ଅଭିଯୋଗ କରିଥିଲେl
ବଡ଼ବିଲ ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇ ଘରେ ଛାଡ଼ି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପୁଲିସ ଜଣେ ମହିଳା ପୁଲିସଙ୍କ ତତ୍ତ୍ବାବଧାନରେ ଶନିବାର ରାତି ଥାନା ପରିସରରେ ଏକ ଘରେ ସୁରକ୍ଷିତ ଭାବେ ରଖିଥିବା ପୀଡ଼ିତା ଜଣକ ପ୍ରକାଶ କରିଥିଲେ।
ଅଭିଯୋଗକୁ ଭିତ୍ତି ପୁଲିସ ଉକ୍ତ ନାବାଳକ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅକ୍ଷୟ ଓଝା ଓ ରିଷି ତରୁଆକୁ ଗିରଫ କରିଛି। ଦୁଷ୍କର୍ମ କରିବାପରେ ପୀଡ଼ିତାକୁ ଧମକ ଚମକ ଦେବା ସହ, ଏନେଇ ପୋଲିସ କିମ୍ବା ଅନ୍ୟ କାହା ନିକଟରେ ପ୍ରକାଶ କଲେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଦୁଷ୍କର୍ମପରେ ତାଙ୍କ ନିକଟରୁ ୧୩ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ପୀଡ଼ିତା ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି।