ସ୍ପିଡପୋଷ୍ଟରେ ହେବ ଅସ୍ଥି ବିସର୍ଜନ, ଦେଖି ପାରିବେ ଲାଇଭ୍ କ୍ରିୟା କ୍ରମ
![](https://www.odishalink.com/wp-content/uploads/2021/06/1-3.jpg)
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀରେ ମୃତ୍ୟୁ ସଂଖ୍ୟା ଦୀନକୁ ଦିନ ବଢ଼ୁଛି। କୋଭିଡ୍ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିଜନ ସଂକ୍ରମଣ କାରଣରୁ ମୃତ ଦେହକୁ ଛୁଇଁବାକୁ ବି ଆସୁନାହାନ୍ତି। ଏଭଳି ସ୍ଥିତିରେ ଡାକ ବିଭାଗ କୋଭିଡ୍ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ପାଇଁ ଏକ ନୂତନ ଧରଣର ପଦକ୍ଷେପ ନେଇଛନ୍ତି।
ଡାକ ବିଭାଗ ନେଇଥିବା ପଦକ୍ଷେପ ମୁତାବକ, ଓମ୍ ଦିବ୍ୟ ଦର୍ଶନ ସଂସ୍ଥା ସହଯୋଗରେ ଏଣିକି ସମ୍ପର୍କୀୟମାନେ ମୃତକଙ୍କ ଅସ୍ଥିକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ବାରାଣସୀ, ପ୍ରୟାଗରାଜ, ହରିଦ୍ବାର ଏବଂ ଗୟା ଭଳି ପବିତ୍ର ସ୍ଥାନକୁ ବିସର୍ଜନ ପାଇଁ ପଠାଇପାରିବେ। ସଂସ୍ଥା ପକ୍ଷରୁ ନିୟୋଜିତ ପ୍ରତିନିଧିମାନେ ବିଧି ମୁତାବକ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କ୍ରିୟା ଆଦି କର୍ମକାଣ୍ଡ କରିବେ।
ଏଥିପାଇଁ ସଂସ୍ଥା ପକ୍ଷରୁ ସମସ୍ତ ସୁବିଧା ଯୋଗାଇଦିଆଯିବ। ଖାଲି ସେତିକି ନୁହେଁ ଅସ୍ଥି ବିସର୍ଜନ ସମୟର ଲାଇଭ୍ ଟେଲିକାଷ୍ଟ ମଧ୍ୟ ସମ୍ପର୍କିୟ ମାନେ ଘରେ ବସି ଦେଖିପାରିବେ। ଅସ୍ଥି ବିସର୍ଜନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଓମ୍ ଦିବ୍ୟ ଦର୍ଶନ ସଂସ୍ଥାର ପୋର୍ଟାଲରେ ପଞ୍ଜିକରଣ କରିବାକୁ ହେବ।
ନିମୟ ଅନୁସାରେ, ଅସ୍ଥି ପ୍ୟାକେଟ୍ ଉକ୍ତ ବ୍ୟକ୍ତିଙ୍କ ତରଫରୁ ଡାକଘର ମାଧ୍ୟମରେ ସ୍ପିଡ୍ ପୋଷ୍ଟ ଦ୍ୱାରା ପଠାଯିବ। ଏହା ସହିତ ଅସ୍ଥି ପାତ୍ର ଉପରେ ‘ଓମ୍ ଦିବ୍ୟା ଦର୍ଶନ ବୋଲି ଲେଖିବାକୁ ପଡିବ ଯଦ୍ୱାରା ଏହାକୁ ପୃଥକ ଭାବେ ରଖାଯାଇପାରିବ। ଅସ୍ଥି ପଠାଉଥିବା ବ୍ୟକ୍ତିଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ମଧ୍ୟ ପ୍ୟାକେଟରେ ଲେଖିବାକୁ ପଡିବ। ଏଥିପାଇଁ ଫି ନିଆଯିବ। ସମସ୍ତ କ୍ରିୟା କର୍ମ ଶେଷ ହେବା ପରେ ସଂସ୍ଥା ପକ୍ଷରୁ ପରିଜନଙ୍କ ଘରକୁ ଏକ ବୋତଲ ଗଙ୍ଗାଜଳ ମଧ୍ୟ ପଠାଯିବାର ମଧ୍ୟ ବ୍ୟବସ୍ଥା ରହିଛି।