ଗୁଗଲ୍ ମ୍ୟାପ୍ ଦେଖି ଗାଡ଼ି ଚଲାଉଥିଲେ ଡ୍ରାଇଭର, ତାପରେ…

ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ଅଜଣା ସ୍ଥାନକୁ ଯାତ୍ରା କରୁଥିଲେ ପାୟତଃ ସଠିକ୍ ରାସ୍ତା ପାଇଁ ଗୁଗୁଲ ମ୍ୟାପ୍ର ସହଯୋଗ ନେଇଥାନ୍ତି। ଠିକ୍ ସେହିପରି ଜଣେ ଡ୍ରାଇଭର ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଗୁଗୁଲ ମ୍ୟାପ୍ ଦେଖି। ହେଲେ ସେ ଜାଣି ନଥିଲେ ଯେ, ଗୁଗୁଲ ମ୍ୟାପ୍ ଅନୁଧ୍ୟାନ କରି ଗାଡ଼ି ଚଳାଇଲେ ଦୁର୍ଘଟଣାର ଶିକାର ହେବେ ବୋଲି। ଗାଡ଼ିଟି ଘାଟି ରାସ୍ତାରେ ଫସି ଦୁର୍ଘଟଣାର ଶିକାର ହେଲା। ହେଲେ ଡ୍ରାଇଭର ଓ ହେଲପରଙ୍କ ବିଶେଷ କିଛି ହୋଇନଥିଲା।
ସୂଚନାମୁତାବିକ, ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତା କାଞ୍ଜିପାଣି ଘାଟିରେ କୋଲକତାରୁ ସୁରଟ ଯାଉଥିବା ଏକ କଣ୍ଟେନର ଟ୍ରକ ଭାରସମ୍ୟ ହରାଇ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭାରସମ୍ୟ ହରାଇ ଘାଟି ରାସ୍ତାର ସୁରକ୍ଷା ବାଡ଼ରେ ପିଟି ହୋଇଯାଇଥିଲା ଟ୍ରକ୍। ତେବେ ଗାଡିର ଡ୍ରାଇଭର ଓ ହେଲପରଙ୍କ ବିଶେଷ କିଛି ହୋଇନଥିଲା। ସବୁଠାରୁ ବଡ଼କଥା ଏଇ ଦୁର୍ଘଟଣା ପାଇଁ ଟ୍ରକ ଚଳାଉଥିବା ଡ୍ରାଇଭର ଗୁଗୁଲ ମ୍ୟାପର ଭୁଲ ନିର୍ଦ୍ଦେଶକୁ ଦାୟୀ କରିଛନ୍ତି।
ଡ୍ରାଇଭର ବୀରଙ୍କ କହିବା ଅନୁଯାଇ, କୋଲକତା ଠାରୁ ସୁରଟ ଅଭିମୁଖେ ସେ ଗୁଗୁଲ ମ୍ୟାପ ସହାୟତା ରାସ୍ତା ଦେଖି ଯାଉଥିଲେ। ହେଲେ କାଞ୍ଜିପାଣି ଠାରୁ ଗୁଗୁଲ ମ୍ୟାପ୍ରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ଥିବା ଦେଖାଇ ଥିଲା। ଏହା ସହିତ କାଞ୍ଜିପାଣି ଠାରୁ ତେଲକୋଇ ହୋଇ ଜଗମୋହନପୁର ରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାକୁ ମ୍ୟାପରେ ଦେଖାଇବାରୁ ସେ କାଞ୍ଜିପାଣି – ତେଲକୋଇ ରାସ୍ତାରେ ଆସିଥିଲେ । ହେଲେ ଘାଟିର ଅଣ ଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେବେ ଘାଟି ରାସ୍ତାରେ ଗାଡି ଚଳାଇବାର ଅନୁଭୂତି ଡ୍ରାଇଭରଙ୍କ ନଥିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରିହେଉଛି।