ଦେବସ୍ନାନ ପୂର୍ଣ୍ଣିମା: ସାଢ଼େ ୧ରୁ ୪ ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳା ଚଳଚଞ୍ଚଳ। ଭୋଇ ସେବକଠୁ ଆରମ୍ଭ କରି ମହାରଣା ମାନେ ରଥକୁ ଜୀବନ୍ତ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି। ଆଉ ୧୧ଟା ଦିନ ପରେ ଅନୁଷ୍ଠିନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଜ୍ବରରେ ପଡ଼ି ସୁସ୍ଥ ହେବା ପର୍ଯ୍ୟନ୍ତ ଅଣସର ପିଣ୍ଡିରେ ବିଜେ କରିବେ। ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ନୀଳାଦ୍ରି ବିଜେ, ସବୁଥିରେ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକ ରହୁଥିବାରୁ ନିଯୋଗର ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ।
ଶକ୍ରବାର ରାତିରେ ଦଇତାପତି ନିଯୋଗ ସହ ବୈଠକ କରି ଦେବସ୍ନାନପୂର୍ଣ୍ଣିମା ନୀତିକାନ୍ତି ସହ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିଛି ପ୍ରଶାସନ। ଚଳିତବର୍ଷର ନୀତିକାନ୍ତିରେ ଦଇତାପତି ନିଯୋଗ ସହମତି ଜଣାଇଥିବା ବେଳେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବଦିନ ରାତିରୁ ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ରାତି ସାଢ଼େ ଗୋଟାଏରୁ ଭୋର ୪ଟା ଭିତରେ ଶ୍ରୀଜିଉ ସ୍ନାନବେଦିକୁ ପହଣ୍ଡି ବିଜେ କରିବାର ନୀତି ନିର୍ଘଣ୍ଟ ହୋଇଛି।
ହେଲେ ନୀତିକାନ୍ତିରେ କେବଳ ଛତିଶା ନିଯୋଗର ଚୂଡ଼ାନ୍ତ ମୋହର ବାକି ରହିଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମାରେ କେତେ ଦଇତାପତି ସେବକ ରହିବେ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଗତବର୍ଷ କୋଭିଡ୍ କଟକଣା ଭିତରେ ଯେତିକି ସଂଖ୍ୟକ ଦଇତାପତି ସେବକଙ୍କୁ ସେବା କରିବାକୁ ଅନୁମତି ଦିଆଯାଇଥିଲା, ଚଳିତବର୍ଷ ବି ସେତିକି ସଂଖ୍ୟାରେ ସେବକ ରହିବା ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ନୀତି ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଗତବର୍ଷ ଭଳି ଚଳିତବର୍ଷ ଯେଭଳି ଶୃଙ୍ଖଳିତ ଭାବେ ନୀତିକାନ୍ତି ଶେଷ ହେବ ସେ ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଥିବା ସୂଚନା ରହିଛି।