ଏହି ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ
![](https://www.odishalink.com/wp-content/uploads/2021/03/aging-lockdown-in-Mumbai.jpg)
କୋଲକାତା: ପଶ୍ଚିମବଙ୍ଗରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ। ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା ଲକଡାଉନ କଟକଣାକୁ ବଢ଼ାଇଛନ୍ତି। ମାତ୍ର ଅନେକ କ୍ଷେତ୍ରରେ କଟକଣା କୋହଳ କରାଯାଇଛି। ଦୋକାନ ବଜାର ଖୋଲିବାକୁ ସର୍ତ୍ତ ମୂଳକ ଅନୁମତି ମିଳିଛି। ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ସଂକ୍ରମଣ ବଢ଼ିବା ଫଳରେ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଥିଲା।
ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାଯାଇଛି। ଫ୍ୟାକ୍ଟ୍ରୀ ଭଳି ଉତ୍ପାଦନ ୟୁନିଟି ୫୦% କର୍ମଚାରୀ ସହ କାର୍ଯ୍ୟକ୍ଷମ କରିପାରିବ। ଯେଉଁମାନେ କାମ କରିବାକୁ ଆସିବେ, ସେମାନେ ଟିକା ନେଇଥିବେ। ଏଥିସହ ୫୦% ଲୋକଙ୍କୁ ନେଇ ରେଷ୍ଟୁରାଣ୍ଟ ଓ ବାର୍ଗୁଡ଼ିକ ସେବା ଆରମ୍ଭ କରିପାରିବେ। ଦିନ ୧୨ଟାରୁ ରାତି ୮ଟା ଯାଏ ଏହା ଖୋଲିବ। ବିନା ଦର୍ଶକରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ଜୁନ୍ ୧୬ ତାରିଖରୁ ସରକାରୀ ଅଫିସ ଗୁଡ଼ିକ ୨୫% କର୍ମଚାରୀଙ୍କୁ ନେଇ ଖୋଲିବ। ଘରୋଇ ଅଫିସଗୁଡ଼ିକ ସରକାର ୧୦ଟାରୁ ଦିନ ୪ଟା ଯାଏ ୨୫% କର୍ମଚାରୀଙ୍କୁ ନେଇ ଚାଲିପାରିବ।
କର୍ମଚାରୀଙ୍କ ଯିବା ଆସିବା ପାଇଁ ଘରୋଇ ଅଫିସଗୁଡ଼ିକ ବ୍ୟବସ୍ଥା କରିବେ। ରାଜ୍ୟରେ ଥିବା ପାର୍କ ଗୁଡ଼ିକ ସକାଳ ୬ଟାରୁ ୯ଟା ଯାଏ ଖୋଲିବ। କିନ୍ତୁ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକ ହିଁ ଏହା ମଧ୍ୟକୁ ଆସିପାରିବେ। ରିଟେଲ, ମାର୍କେଟ ଓ ହାଟଗୁଡ଼ିକ ଏଣିକି ସକାଳ ୭ଟାରୁ ଦିନ ୧୧ ଯାଏ ଚାଲିବ। ଅନ୍ୟ ଦୋକାନଗୁଡ଼ିକ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ।
ସାଧାରଣ ପରିବହନ ପୂର୍ବଭଳି ବନ୍ଦ ରହିବ। ଘରୋଇ କାର, ଟ୍ୟାକ୍ସି ଓ ଅଟୋ ମଧ୍ୟ ଚାଲି ପାରିବ ନାହିଁ। କେବଳ ହସ୍ପିଟାଲ କିମ୍ବା ଜରୁରୀ ସେବାରେ ଏଗୁଡ଼ିକ ଚଳାଚଳ କରିପାରିବ ବୋଲି ସରକାର କହିଛନ୍ତି। ବିୟୁଟି ପାର୍ଲର ଓ ସ୍ପା ଗୁଡ଼ିକ ପୂର୍ବଭଳି ଖୋଲିବ ନାହିଁ। ବାହାଘରରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଲୋକ ଯୋଗଦେଇପାରିବେ। ବ୍ୟାଙ୍କ ଗୁଡ଼ିକ ଦିନ ୧୦ଟାରୁ ୪ଟା ଯାଏ ଚାଲିବ। ରାଜ୍ୟରେ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଗାଇଡଲାଇନରେ କୁହାଯାଇଛି।